ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପରେ ଚୋରି-ଲୁଟ୍‌ ଘଟଣା, ୩ ଅଭିଯୁକ୍ତ ଧରାପଡ଼ିଲେ

ପାରାଦୀପ, 28/09/2026, ଉତ୍କଳ voice news - utkalvoicenews.com (ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
Article Image
ତା. ୨୭/୦୯/୨୦୨୬ : ପାରାଦୀପ ଅଞ୍ଚଳରେ ଘଟିଥିବା ଦୁଇଟି ଚୋରି ଓ ଲୁଟ୍‌ ମାମଲାରେ ପୋଲିସ ତ୍ୱରିତ ତଦନ୍ତ କରି ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଦୁଇ ମାମଲାରେ ଚୋରି ଓ ଲୁଟ୍‌ ସାମଗ୍ରୀ ସହ ଅସ୍ତ୍ର ଓ ଏକ ବାଇକ୍‌ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
Article Image
ପାରାଦୀପ ଆଦର୍ଶ ଥାନା ଅଧୀନ ତାରିଣୀଗଡ଼ାସ୍ଥିତ ସାଧନା ଜୁଏଲାରୀରେ ସେପ୍ଟେମ୍ବର ୨୬ ତାରିଖ ଅପରାହ୍ନ ପ୍ରାୟ ୩ଟା ୨୮ ମିନିଟ୍‌ ସମୟରେ ଲୁଟ୍‌ ଘଟିଥିଲା। ଦୋକାନରେ ଦୁଇଜଣ କର୍ମଚାରୀ ଥିବାବେଳେ ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ଧମକ ଦେଇ ପ୍ରାୟ ୧୦୦ ଗ୍ରାମ ଓଜନର ୨୩ଟି ସୁନା ମୁଦି ନେଇ ଫେରାର ହୋଇଥିଲେ। ଲୁଟ୍‌ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଘଟଣା ପରେ ପୋଲିସ CCTV ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଘଟଣାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜୁଏଲାରୀ ଦୋକାନକୁ ଆସିଥିବା ଦୃଶ୍ୟ CCTVରେ ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ଫୁଟେଜ୍‌ ଓ ଅନ୍ୟାନ୍ୟ ସୂଚନା ଆଧାରରେ ପୋଲିସ ୨୬ ବର୍ଷୀୟ ତୁଷାର କୁମାର ସାହୁଙ୍କୁ ଗିରଫ କରିଥିଲା। ପୋଲିସ ପ୍ରେସ୍‌ ନୋଟ୍‌ ଅନୁଯାୟୀ, ତୁଷାରଙ୍କ ନିକଟରୁ ୨୩ଟି ୨୨ କ୍ୟାରେଟ୍‌ ସୁନା ମୁଦି, ଗୋଟିଏ ପିସ୍ତଲ ଏବଂ ଏକ ବଜାଜ୍‌ ପଲସର୍‌ ୨୨୦ ବାଇକ୍‌ ଜବତ କରାଯାଇଛି। ଅନ୍ୟପକ୍ଷରେ ପାରାଦୀପ ଲକ୍‌ ଥାନା ଅଧୀନ ଜିରୋ ପଏଣ୍ଟ ପରେଶ୍ୱର କଲୋନୀରେ ଘର ଚୋରି ଘଟଣା ଘଟିଥିଲା। ସେପ୍ଟେମ୍ବର ୨୫ରୁ ୨୬ ତାରିଖ ଭୋର ମଧ୍ୟରେ ଘରର ସ୍କାଏଲାଇଟ୍‌ ଭାଙ୍ଗି ଚୋରମାନେ ଘର ଭିତରକୁ ପ୍ରବେଶ କରିଥିଲେ। ଘରୁ ଦୁଇଟି ୩୨ ଇଞ୍ଚ ପାନାସୋନିକ୍‌ LED ଟିଭି ସହ ବିଭିନ୍ନ ସାନିଟାରୀ ସାମଗ୍ରୀ ଚୋରି ହୋଇଥିଲା। ଅଭିଯୋଗ ପରେ ପାରାଦୀପ ଲକ୍‌ ଥାନା ପୋଲିସ ତ୍ୱରିତ ତଦନ୍ତ କରି ଲକି ଓରଫ ଆଶୁତୋଷ ବେହେରା ଏବଂ ଅଜୟ ଓରଫ ମନୋଜ ଦାସଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଚୋରି ହୋଇଥିବା ଦୁଇଟି LED ଟିଭି ଓ ସାନିଟାରୀ ସାମଗ୍ରୀ ଜବତ କରାଯାଇଛି। ଦୁଇଟି ମାମଲାରେ ଗିରଫ ଅଭିଯୁକ୍ତମାନଙ୍କୁ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି।
4