ଜଗତସିଂହପୁର, 29/09/2026, ଉତ୍କଳ voice news - utkalvoicenews.com
(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
ତାରିଖ: ୨୮/୦୯/୨୦୨୬ :
ଏସ୍ଆଇଆର୍ ପ୍ରସଙ୍ଗକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଜଗତସିଂହପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଜଗତସିଂହପୁର ଟାଉନ୍ ହଲ୍ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଡ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା।

ସେଠାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିର୍ବାଚନ ସମ୍ପର୍କିତ ନିଜ ଦାବି ଉପସ୍ଥାପନ କରିଥିଲେ।
ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ କହିଥିଲେ ଯେ, ଗତ କିଛି ବର୍ଷ ଧରି ବିରୋଧୀ ଦଳ ପକ୍ଷରୁ ଭୋଟର ତାଲିକା ଓ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ବିଭିନ୍ନ ଅଭିଯୋଗ ଉଠାଯାଉଛି।
ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ନିଶ୍ଚିତ କରିବା ଦାବି ସହ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବହିଷ୍କାର ଦାବି କରାଯାଇଥିବା ସେ କହିଥିଲେ।
ପରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ବିକ୍ଷୋଭର ଶେଷରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପ୍ରତୀକାତ୍ମକ କୁଶପୁତ୍ତଳିକା ଦାହ କରି କଂଗ୍ରେସ କର୍ମୀମାନେ ପ୍ରତିବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଓପିସିସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ସାଧାରଣ ସମ୍ପାଦକ ନଟବର ବାରିକ, ସମ୍ପାଦକ ବିରେନ ଦଳାଇ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ, ଓପିସିସି କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମଲ୍ଲିକଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରର ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।
ଏଥିରେ ଜଗତସିଂହପୁର ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର, ବାଲିକୁଦା ବ୍ଲକ୍ କଂଗ୍ରେସ ସଭାପତି ମହନି ଚରଣ ରାଉତ, ନାଉଗାଁ ବ୍ଲକ୍ କଂଗ୍ରେସ ସଭାପତି ବିଚିତ୍ରାନନ୍ଦ ଲେଙ୍କା, ବିରିଡି ବ୍ଲକ୍ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର, ରଘୁନାଥପୁର ବ୍ଲକ୍ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ତିର୍ତ୍ତୋଲ ବ୍ଲକ୍ ସଭାପତି ସଫି ଆଜମ୍, କୁଜଙ୍ଗ ବ୍ଲକ୍ ସଭାପତି ଶ୍ରୀକାନ୍ତ ଦାସ, ପାରାଦୀପ ନଗର କଂଗ୍ରେସ ସଭାପତି କେଦାରନାଥ ବିଶ୍ୱାଳ, ଜଗତସିଂହପୁର ବ୍ଲକ୍ ସଭାପତି ଜ୍ଞାନରଞ୍ଜନ ପୃଷ୍ଟିଙ୍କ ସମେତ ବିଭିନ୍ନ ସାମ୍ମୁଖ୍ୟ ଓ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଆୟୋଜକଙ୍କ ଦାବି ଅନୁସାରେ, ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବହିଷ୍କାର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳୀୟ ନେତାମାନେ କହିଛନ୍ତି।