ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟ୍ରେନିଂ ନାଁରେ ଅବ୍ୟବସ୍ଥା; ବ୍ଲକ୍‌ ସମ୍ମୁଖରେ ଗାଁ ସାଥିଙ୍କ ଧାରଣା

ଏରସମା, 29/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତା - ୨୮/୯ : ଟ୍ରେନିଂ ନାଁରେ ଅବ୍ୟବସ୍ଥା ଓ ଆବଶ୍ୟକ ସୁବିଧା ଯୋଗାଇ ନଦେବାକୁ ନେଇ ଏରସମା ବ୍ଲକ୍‌ ସମ୍ମୁଖରେ ଗାଁ ସାଥିମାନେ ଧାରଣାରେ ବସିଥିଲେ। ଏରସମା ବ୍ଲକ୍‌ର ୨୫ଟି ପଞ୍ଚାୟତରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଗାଁ ସାଥି ସରକାରୀ ଚିଠି ଅନୁଯାୟୀ ଭିଡିଓ କନଫରେନ୍ସିଂ ଜରିଆରେ ଟ୍ରେନିଂ ନେବା ପାଇଁ ବ୍ଲକ୍‌ ସଭାଗୃହରେ ପହଞ୍ଚିଥିଲେ। ତେବେ ସଭାଗୃହରେ ଟ୍ରେନିଂ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଗାଁ ସାଥିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏତେ ସଂଖ୍ୟକ ଗାଁ ସାଥିଙ୍କୁ ଗୋଟିଏ ଲ୍ୟାପଟପ୍‌ ମାଧ୍ୟମରେ ଭିଡିଓ ଦେଖାଇ ଟ୍ରେନିଂ ଦିଆଯାଉଥିବାରୁ ସମସ୍ତେ ଠିକ୍‌ ଭାବରେ ଦେଖି କିମ୍ବା ବୁଝିପାରିନଥିବା ଅଭିଯୋଗ ହୋଇଛି। ସଭାଗୃହରେ ଲାଗିଥିବା ବଡ଼ ଏଲ୍‌ସିଡି ଚଳାଇ ଟ୍ରେନିଂ ଦେବାକୁ ଗାଁ ସାଥିମାନେ କର୍ମଚାରୀଙ୍କୁ କହିଥିଲେ। ମାତ୍ର ଏଲ୍‌ସିଡି ଖରାପ ଥିବା କୁହାଯାଇଥିଲା। ଏପରିକି ଦୂରଦୂରାନ୍ତରୁ ଆସିଥିବା ଗାଁ ସାଥିମାନେ ପିଇବା ପାଣି ମାଗିବାରୁ ପାଣିର ବ୍ୟବସ୍ଥା ନଥିବା ମଧ୍ୟ କୁହାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗାଁ ସାଥିମାନେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଡବ୍ଲ୍ୟୁଓ ଘଟଣାସ୍ଥଳରେ ପହଞ୍ଚି ଗାଁ ସାଥିମାନଙ୍କ ସହ ଆଲୋଚନା କରି ସଭାଗୃହକୁ ନେଇଥିଲେ। ସେଠାରେ ବିସ୍କୁଟ ଓ ଥଣ୍ଡା ଦିଆଯାଇଥିଲେ ମଧ୍ୟ ଟ୍ରେନିଂ ଦିଆନଯାଇ ଫେରାଇ ଦିଆଯାଇଥିବା ଗାଁ ସାଥିମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଗାଁ ସାଥି ସଂଗଠନର ସଭାପତି ସ୍ମୃତି ରଞ୍ଜନ ମହାନ୍ତି, ସମ୍ପାଦକ ସୌଭାଗ୍ୟ କୁମାର ସ୍ୱାଇଁ, ଜିଲ୍ଲା ଉପସଭାପତି ଯଯାତି କେଶରୀ ସାମନ୍ତରାୟ ଓ ଉପଦେଷ୍ଟା ମୁରଲୀଧର ମଲ୍ଲିକଙ୍କ ସମେତ ବିଶ୍ୱରଂଜନ ସ୍ୱାଇଁ, ଗୁରୁପଦ ଜେନା, ଅହଲ୍ୟା ମିଶ୍ର,ଅନିତା ପଳେଇ, ସସ୍ମିତା ସ୍ୱାଇଁ, ମନୋଜ ମହାନ୍ତି, ସରୋଜ କୁମାର ଦାସ, ବିଘ୍ନେଶ୍ୱର ବେହେରା, ହେମନ୍ତ ବିଶ୍ୱାଳ, ଅଜୟ ସ୍ୱାଇଁ, ବସନ୍ତ ସାମଲ ଓ ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନିଂ ପାଇଁ ଗାଁ ସାଥିମାନଙ୍କୁ ଡକାଯାଇଥିବା ବେଳେ ଆବଶ୍ୟକ ଟେକ୍ନିକାଲ୍‌ ବ୍ୟବସ୍ଥା, ପାଣି ଓ ଟ୍ରେନିଂର ସୁଚାରୁ ପରିଚାଳନା କାହିଁକି କରାଯାଇନଥିଲା ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଏଭଳି ଅବ୍ୟବସ୍ଥାର ପୁନରାବୃତ୍ତି ନକରି ଆଗାମୀ ଦିନରେ ନିର୍ଦ୍ଧାରିତ ଟ୍ରେନିଂ ସଠିକ୍‌ ଭାବେ ଦେବାକୁ ଗାଁ ସାଥିମାନେ ଦାବି କରିଛନ୍ତି।
8