ଢେଙ୍କାନାଳ / ରାଇରଙ୍ଗପୁର, 29/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :

ତାରିଖ: ୨୯/୦୯/୨୦୨୬ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଅଖିଳ ଭାରତୀୟ ପର୍ଯ୍ୟାବରଣ ମଞ୍ଚ ବୈଠକ କେରଳର ଏର୍ଣ୍ଣାକୁଲମସ୍ଥିତ ଭାରତୀୟ ମଜଦୁର ସଂଘ ପ୍ରଦେଶ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସେପ୍ଟେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୪ ଜଣ ପ୍ରତିନିଧି ଯୋଗଦେଇଥିଲେ।
ଏହି ବୈଠକରେ ଦେଶର ୧୮ଟି ରାଜ୍ୟର ପର୍ଯ୍ୟାବରଣ ମଞ୍ଚର ସଂଯୋଜକ, ସହସଂଯୋଜକ ଓ ସମ୍ଭାଗ ପ୍ରମୁଖ ଯୋଗଦେଇ ପରିବେଶ ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ବିଷୟରେ ମତାମତ ରଖିଥିଲେ।
କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ଉପାଧ୍ୟକ୍ଷ ଉନ୍ନି କ୍ରିଷ୍ଣାନ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ପର୍ଯ୍ୟାବରଣ ମଞ୍ଚର ଅଖିଳ ଭାରତୀୟ ପ୍ରଭାରୀ ଲକ୍ଷ୍ମଣା ଚନ୍ଦ୍ରା, ସହପ୍ରଭାରୀ ଇନାମୁଲ ହକ୍, ବିଏମ୍ଏସ୍ର କେରଳ ପ୍ରଦେଶ ଉପାଧ୍ୟକ୍ଷା ଆଡଭୋକେଟ୍ ଆଶା ମୋଲ ଏବଂ କେରଳ ପ୍ରଦେଶ ପର୍ଯ୍ୟାବରଣ ମଞ୍ଚର ସଂଯୋଜକ ସି.ବି. ବରଗିସ୍ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ପ୍ରଦେଶରୁ ପର୍ଯ୍ୟାବରଣ ମଞ୍ଚର ସଂଯୋଜକ ଶ୍ରୀନିବାସ ଖୁଣ୍ଟିଆ, ରାଜ୍ୟ ସହସଂଯୋଜକ ନିଗମାନନ୍ଦ ପଟ୍ଟନାୟକ, ସମ୍ଭାଗ ସଂଯୋଜକ ସୁନିତା ମହାପାତ୍ର ଓ ସୁରଭି ସ୍ୱାଇଁ ଯୋଗଦେଇଥିଲେ।
ବୈଠକରେ ପର୍ଯ୍ୟାବରଣ ପ୍ରଦୂଷଣ ହ୍ରାସ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାର ରୋକିବା ଏବଂ ଏନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବିଭିନ୍ନ ରାଜ୍ୟର କାର୍ଯ୍ୟକର୍ତ୍ତାମାନେ ସାମ୍ନା କରୁଥିବା ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।
ପର୍ଯ୍ୟାବରଣ ସଂରକ୍ଷଣ ସହ ଜଡ଼ିତ ବିଭିନ୍ନ ଯୋଜନା ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଆସନ୍ତା ଅଖିଳ ଭାରତୀୟ ବୈଠକ ଜାନୁଆରୀ ୨୭ ତାରିଖରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ କରିବାକୁ ସ୍ଥିର କରାଯାଇଛି। ଶେଷରେ କେରଳ ପ୍ରଦେଶ ଉପାଧ୍ୟକ୍ଷା ଆଶା ମୋଲ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ସେପ୍ଟେମ୍ବର ୨୮ ଓ ୨୯ ତାରିଖରେ କେରଳର ମୁନାର, କୋଚି, ଆଲେପ୍ପି ଓ ଏର୍ଣ୍ଣାକୁଲମ ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରତିନିଧିମାନେ ଔଷଧୀୟ ବୃକ୍ଷ, ପର୍ଯ୍ୟାବରଣ ସଂରକ୍ଷଣ, ପରିବେଶ ସମ୍ପର୍କିତ ବିଭିନ୍ନ ଗତିବିଧି ଓ ଜଳ ସଂରକ୍ଷଣ ଉପରେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ପର୍ଯ୍ୟାବରଣ ମଞ୍ଚର ପ୍ରଭାରୀ ଲକ୍ଷ୍ମଣା ଚନ୍ଦ୍ରା ଓ ସହପ୍ରଭାରୀ ଇନାମୁଲ ହକ୍ ପରିବେଶ ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।