ପାରାଦ୍ୱୀପ, 30/09/2026, ଉତ୍କଳ voice news - utkalvoicenews.com
ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ କାର୍ଯ୍ୟରତ ସଫେଇ ମିତ୍ର ଓ ସ୍ୱଚ୍ଛ କର୍ମୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ (ପିପିଇ କିଟ୍) ବଣ୍ଟନ କରାଯାଇଛି। ପୌରପାଳିକା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଫେଇ କର୍ମୀମାନେ କିପରି ପିପିଇ କିଟ୍ର ସଠିକ୍ ବ୍ୟବହାର କରି ସୁରକ୍ଷିତ ଓ ସମ୍ମାନର ସହିତ ସଫେଇ କାର୍ଯ୍ୟ କରିପାରିବେ, ସେ ସମ୍ପର୍କରେ ସଚେତନ କରାଯାଇଥିଲା।

ଏହି ଅବସରରେ ପାରାଦ୍ୱୀପ ପୌରପାଳିକାରେ କାର୍ଯ୍ୟରତ ସଫେଇ ମିତ୍ର ଓ ସ୍ୱଚ୍ଛ କର୍ମୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା। ବିଶେଷଜ୍ଞ ଡାକ୍ତରମାନେ ସଫେଇ କାର୍ଯ୍ୟ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ, ସଂକ୍ରମଣ ଓ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ କିପରି ସୁରକ୍ଷିତ ରହିବେ ଏବଂ ସୁସ୍ଥ ରହି କାର୍ଯ୍ୟ କିପରି ଜାରି ରଖିବେ, ସେନେଇ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ।
ସଫେଇ ମିତ୍ର ଓ ସ୍ୱଚ୍ଛ କର୍ମୀମାନେ ସହରକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବାରୁ ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, ବରିଷ୍ଠ ପାରିଷଦ ଶ୍ରୀ ଅଜିତ କୁମାର ଷଡ଼ଙ୍ଗୀ ଓ ଶ୍ରୀ ଜଗନ୍ନାଥ ରାଓ, ପାରାଦ୍ୱୀପ ସ୍ୱଚ୍ଛତା ରାଷ୍ଟ୍ରଦୂତ ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର ଏବଂ ପରିମଳ ଅଧିକାରୀ ଶ୍ରୀ ପ୍ରୀତିରଞ୍ଜନ ପାଢ଼ୀଙ୍କ ସମେତ ପୌରପାଳିକାର କର୍ମଚାରୀ, ବିଶେଷଜ୍ଞ ଡାକ୍ତର ଓ ସଫେଇ ମିତ୍ରମାନେ ଉପସ୍ଥିତ ଥିଲେ।
“ସ୍ୱଚ୍ଛ ସହର ପାଇଁ ସଫେଇ ମିତ୍ରଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନ ଆମର ଦାୟିତ୍ୱ” ବାର୍ତ୍ତା ସହ କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା।