ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୂଳିସିଂହରେ R&B ରାସ୍ତା କାମକୁ ନେଇ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି

ତିର୍ତ୍ତୋଲ, 01/10/2026, ଉତ୍କଳ voice news - utkalvoicenews.com( ରିପୋର୍ଟ: ତିର୍ତ୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁ ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂହ ଗ୍ରାମରେ ନିର୍ମାଣାଧୀନ R&B ରାସ୍ତା କାମରେ ଅନିୟମିତତା ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟର ମାନ ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି।
Article Image
ମୂଳିସିଂହ ଛପଡା ମୁଖ୍ୟ ରାସ୍ତାରୁ ହୁରାସାହି ଛକ, ୧୨ ନମ୍ବର କେନାଲ ବନ୍ଧ ଭାୟା ତାରଦେଇ ଠାକୁରାଣୀ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ଚାଲିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା କାମରେ ଆବଶ୍ୟକ ମାନଦଣ୍ଡ ଅନୁସାରେ ସିମେଣ୍ଟ, ଗୋଡ଼ି ଓ ପଥର ବ୍ୟବହାର କରାଯାଉନଥିବା ସହ ଅଧିକ ପରିମାଣର ବାଲି ବ୍ୟବହାର କରାଯାଉଛି। ଏଥିସହ କାମ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀ କିମ୍ବା ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ନିୟମିତ ତଦାରଖ ହେଉନଥିବା ନେଇ ମଧ୍ୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଏହାର ମାନ ନେଇ ପ୍ରଶ୍ନ ଉଠିଥିବାରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। କାର୍ଯ୍ୟର ମାନ ଯାଞ୍ଚ ଓ ସୁଧାର ନହେବା ପର୍ଯ୍ୟନ୍ତ ଠିକାଦାରଙ୍କ ବିଲ୍ ପେମେଣ୍ଟ ଉପରେ ରୋକ ଲଗାଇବାକୁ ଅସିତ୍ ପାଲ, ସଳେନ୍ଦ୍ର ମଲ୍ଲ, ଆଲୋକ ସାହୁ, ପ୍ରଶାନ୍ତ ପାଲ, ଜଟାଧାରୀ ସେଠୀ, ରଂଜନ ସାହୁ, ବିଜୟ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ଅଞ୍ଜନ ବାରିକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ବିଭାଗର ପକ୍ଷ ପ୍ରତିକ୍ରିୟା ମିଳିପାରିନାହିଁ। ବିଭାଗୀୟ ତଦନ୍ତ ପରେ ରାସ୍ତା ନିର୍ମାଣର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
4