ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ରୁ ଅଯୋଧ୍ୟା-ବାରାଣସୀ ଗଲେ ୭୭୫ ବରିଷ୍ଠ ନାଗରିକ

ରାୟଗଡ଼, 01/10/2026, ଉତ୍କଳ voice news - utkalvoicenews.com( ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ ) :
Article Image
ତା - ୧/୧୦: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ରାୟଗଡ଼ ରେଳ ଷ୍ଟେସନରୁ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଗୁରୁବାର ଆରମ୍ଭ ହୋଇଛି।
Article Image
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି-ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ତୀର୍ଥଯାତ୍ରା ଟ୍ରେନ୍‌କୁ ଫ୍ଲାଗ୍‌ ଅଫ୍‌ କରିଥିଲେ।
Article Image
ରାଜ୍ୟ ପର୍ଯ୍ୟଟନ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି ତୀର୍ଥଯାତ୍ରାରେ ରାୟଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡ଼ା—ଏହି ଛଅ ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକଙ୍କ ସହ ୨୫ ଜଣ ଏସ୍‌କର୍ଟ ଅଧିକାରୀ, ମୋଟ ୮୦୦ ଜଣ ଯାତ୍ରା କରିଛନ୍ତି।
Article Image
ଏଥିରେ ରାୟଗଡ଼ରୁ ୧୧୮, କୋରାପୁଟରୁ ୧୬୮, ନବରଙ୍ଗପୁରରୁ ୧୪୮, କଳାହାଣ୍ଡିରୁ ୧୯୨, ମାଲକାନଗିରିରୁ ୭୫ ଏବଂ ନୂଆପଡ଼ାରୁ ୭୪ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି।
Article Image
ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା, ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ରବୀନ୍ଦ୍ରନାଥ କହଁର ଓ ଉପଜିଲ୍ଲାପାଳ ମୃଣାଳିନୀ ରାଠୋଡ଼ଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ରେଳବାଇ ଓ ଆଇଆରସିଟିସି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।
Article Image
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ବରିଷ୍ଠ ନାଗରିକମାନଙ୍କ ତ୍ୟାଗ, ଅନୁଭବ ଓ ସାମାଜିକ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଅନେକ ବରିଷ୍ଠ ନାଗରିକ ତୀର୍ଥସ୍ଥାନ ଦର୍ଶନ କରିବାକୁ ଇଚ୍ଛା କରୁଥିଲେ ମଧ୍ୟ ଆର୍ଥିକ କାରଣରୁ ତାହା ସମ୍ଭବ ହୋଇନଥାଏ। ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ମିଳୁଛି ବୋଲି ସେ କହିଥିଲେ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଯାତ୍ରା ସୁରକ୍ଷିତ ଓ ସୁଖଦ ହେବା ସହ ସମସ୍ତେ ସୁସ୍ଥ ଭାବେ ଫେରନ୍ତୁ ବୋଲି କାମନା କରିଥିଲେ। ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଯାତାୟାତ, ରହଣି, ଖାଦ୍ୟ ଓ ପାନୀୟ, ପଥପ୍ରଦର୍ଶକ, ସୁରକ୍ଷା, ଯାତ୍ରୀ ବୀମା ଓ ଚିକିତ୍ସା ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରାର ଚତୁର୍ଥ ପର୍ଯ୍ୟାୟରେ ଛଅଟି ଜିଲ୍ଲାର ତୀର୍ଥଯାତ୍ରୀମାନେ ପୂର୍ବଦିନ ରାୟଗଡ଼ରେ ପହଞ୍ଚିଥିଲେ। ସେମାନଙ୍କ ରହଣି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଗୁରୁବାର ରେଳ ଷ୍ଟେସନରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା। ଟ୍ରେନ୍‌ ଫ୍ଲାଗ୍‌ ଅଫ୍‌ ପରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାୟଗଡ଼ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରି ରକ୍ତଦାନ ଶିବିରରେ ଯୋଗଦେଇଥିଲେ। ପରେ ସେ କସ୍ତୁରୀ ନଗରଠାରେ ଆୟୋଜିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା, ଅଧିକାର ଓ ସାମାଜିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।
5