ଜଗତସିଂହପୁର, 02/10/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶାଗଡ଼ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ୱର୍ଗତ ଅନ୍ନପୂର୍ଣ୍ଣା ଦାଶଙ୍କ ସ୍ମୃତିରେ ପ୍ରଫୁଲ୍ଲ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଛି। ଶିକ୍ଷାବିତ୍ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ସାହିତ୍ୟ ଏକାଡେମୀର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ମିହିର କୁମାର ସାହୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ମୁଖ୍ୟ ବକ୍ତା ପ୍ରଫେସର ଗୌରାଙ୍ଗ ଚରଣ ଦାସଙ୍କ ସମ୍ପାଦିତ ‘ସାରଳା ମହାଭାରତ’ ଏବଂ ଅମୂଲ୍ୟ କୃଷ୍ଣ ମିଶ୍ରଙ୍କ ରଚିତ ‘ଜୟୀରାଜ ଗୁରୁ’ ନାଟକ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଉତ୍ସବର ପ୍ରଥମ ଅଧିବେଶନରେ ‘ଆଦିକବି ସାରଳା ଦାସଙ୍କ ମହାଭାରତରେ ସାମାଜିକତା’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ପ୍ରଫେସର ଗୌରାଙ୍ଗ ଚରଣ ଦାସ, ଡକ୍ଟର ସାହୁ, ପ୍ରସନ୍ନ କୁମାର ଦାସ ଓ ଡକ୍ଟର ଶରତ ମହାରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ଉପସ୍ଥିତ ସାହିତ୍ୟପ୍ରେମୀଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବିମାନଙ୍କୁ ନେଇ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ହେମନ୍ତ କୁମାର ରଥ, ମୁଖ୍ୟ ବକ୍ତା ଡକ୍ଟର ବିଜୟ କୁମାର ବିଶ୍ୱାଳ ଏବଂ ସମ୍ମାନନୀୟ ବକ୍ତା ବିଜୟ କୁମାର ପତି ଓ ବଂଶୀଧର ଆଚାର୍ଯ୍ୟ ଯୋଗଦେଇଥିଲେ। କବିତାଗୁଡ଼ିକର ସମୀକ୍ଷା ଡକ୍ଟର ଶରତ ମହାରଣା କରିଥିବାବେଳେ ଶ୍ରୀଯୁକ୍ତ ଗଣେଶ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏଥିସହ ସ୍କୁଲସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଏହାକୁ ପ୍ରଜ୍ଞା ମିଶ୍ର ସଂଯୋଜନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କୃତୀ ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉତ୍କଳ ରଞ୍ଜନ ମହାନ୍ତି, ଅମୂଲ୍ୟ ମିଶ୍ର, ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଓ ଅତିଥି ଯୋଗଦେଇଥିଲେ। ଶେଷରେ ପାଠାଗାର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।