ପାରାଦ୍ୱୀପ, 02/10/2026, ଉତ୍କଳ voice news - utkalvoicenews.com
_1790961887.jpg)
୨/୧୦: ସ୍ୱଚ୍ଛ ଭାରତ ଦିବସ–୨୦୨୬ ଅବସରରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ଗାନ୍ଧୀଛକ ପରିସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହ ଗାନ୍ଧୀଜୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଦେଶ ପ୍ରତି ଅବଦାନ ଉପରେ ଆଲୋଚନା କରାଯାଇଥିଲା।
ସଭାରେ ‘ସ୍ୱଚ୍ଛତା ହିଁ ସେବା’ର ଗୁରୁତ୍ୱ ଉପରେ ଆଲୋଚନା କରାଯିବା ସହ ପାରାଦ୍ୱୀପ ସହରର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଅବଦାନ ରଖୁଥିବା ସ୍ୱଚ୍ଛ ମିତ୍ର, ସ୍ୱଚ୍ଛ ସାଥୀ ଓ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପାରାଦ୍ୱୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ଶ୍ରୀ ଟି. ଭେନୁଗୋପାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡାଙ୍କ ସମେତ ବହୁ ଅଧିକାରୀ, ପାରିଷଦ ଓ ଅତିଥି ଉପସ୍ଥିତ ଥିଲେ।
ଏହି ଅବସରରେ ପାରାଦ୍ୱୀପ ପୌରପାଳିକା ଓ ପାରାଦ୍ୱୀପ କଲେଜ ଏନସିସି ଆଲୁମୁନି ଆସୋସିଏସନର ମିଳିତ ପ୍ରଚେଷ୍ଟାରେ ‘ଆମକୁ ଫରକ ପଡୁଛି, ପରିବର୍ତ୍ତନ ଆବଶ୍ୟକ’ ଅଭିଯାନର ଲୋଗୋ ଉନ୍ମୋଚିତ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ ସହରର ସ୍ୱଚ୍ଛତା, ପରିବେଶ, ସ୍ୱାସ୍ଥ୍ୟ ଓ ସାଧାରଣ ସମସ୍ୟା ପ୍ରତି ଜନସଚେତନତା ବୃଦ୍ଧି ସହ ସମାଧାନ ପାଇଁ ଜନସହଭାଗିତାକୁ ଗୁରୁତ୍ୱ ଦିଆଯାଇଛି।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ‘ଏକ ପେଡ୍ ମା କି ନାମ’ ଅଭିଯାନ। ଏହି ଅବସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେଇ ୧୦୦ରୁ ଅଧିକ ଫଳନ୍ତି ଗଛର ଚାରା ରୋପଣ କରାଯାଇଥିଲା। ସ୍ୱଚ୍ଛତା ସହ ପରିବେଶ ସୁରକ୍ଷାକୁ ଆଗେଇ ନେବାରେ ସହରବାସୀଙ୍କ ସକ୍ରିୟ ଭୂମିକା ପାଇଁ ଆହ୍ୱାନ ଦିଆଯାଇଥିଲା।