ବୁଗୁଡ଼ା, 03/10/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ କରଚୁଲି ପଞ୍ଚାୟତର ଭାବସର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କୁ ମାଡ଼ ମାରିବା ନେଇ ଏକ ଅଭାବନୀୟ ଅଭିଯୋଗ ସାମ୍ନାକୁ ଆସିଛି। ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀରେ ଅଧ୍ୟୟନରତ ଦୁଇ ଛାତ୍ର ମଙ୍ଗରାଜ ପ୍ରଧାନ ଓ ହିମାଂଶୁ ସେଠୀଙ୍କୁ ଜଣେ ଶିକ୍ଷକ ମାଡ଼ ମାରିବା ଫଳରେ ଛାତ୍ରମାନେ ଆହତ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟର ଏକ୍ସକ୍ୟାଡର ଶିକ୍ଷକ ପାର୍ଥସାରଥୀ ପ୍ରଧାନ ଦୁଇ ଛାତ୍ରଙ୍କୁ ଅତ୍ୟଧିକ ମାଡ଼ ମାରିଥିଲେ। ଏଥିରେ ଜଣେ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ପଛ ଭାଗରେ ନୋଳା ଫାଟିଯିବା ଭଳି ଅଭିଯୋଗ ମଧ୍ୟ ହୋଇଛି। ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗପତ୍ର ଦାଖଲ କରିଥିବା କହିଛନ୍ତି। ଏହି ଅଭିଯୋଗକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମ୍ପୃକ୍ତ ଶିକ୍ଷକଙ୍କୁ ତାଗିଦ କରିଥିବାବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଫିସ ଫାଇଲରେ ଅଭିଯୋଗପତ୍ର ନଥିବା କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅନ୍ୟପକ୍ଷରେ, ଏନେଇ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ସେ କହିଥିଲେ। ତେବେ ଅଭିଯୋଗ ମିଳିଲେ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଥିବା ଜଣାପଡ଼ିଛି।