ପାରାଦ୍ୱୀପ, 03/10/2026, ଉତ୍କଳ voice news - utkalvoicenews.com
୨/୧୦: ସ୍ୱଚ୍ଛ ଭାରତ ଦିବସ–୨୦୨୬ ଅବସରରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ଗାନ୍ଧୀଛକ ପରିସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିସହ ଗାନ୍ଧୀଜୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଦେଶ ପ୍ରତି ଅବଦାନ ଉପରେ ଆଲୋଚନା ହୋଇଥିଲା।

ସଭାରେ ‘ସ୍ୱଚ୍ଛତା ହିଁ ସେବା’ର ଗୁରୁତ୍ୱ ଉପରେ ଆଲୋଚନା କରାଯିବା ସହ ସହରର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ଅବଦାନ ରଖିଥିବା ସ୍ୱଚ୍ଛ ମିତ୍ର, ସ୍ୱଚ୍ଛ ସାଥୀ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
ମୁଖ୍ୟଅତିଥି ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିବା ବେଳେ ପାରାଦ୍ୱୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ଟି. ଭେନୁଗୋପାଳ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଓ ପାରିଷଦ ଉପସ୍ଥିତ ଥିଲେ।
ଏହି ଅବସରରେ ପାରାଦ୍ୱୀପ ପୌରପାଳିକା ଓ ପାରାଦ୍ୱୀପ କଲେଜ ଏନସିସି ଆଲୁମୁନି ଆସୋସିଏସନର ମିଳିତ ପ୍ରଚେଷ୍ଟାରେ ‘ଆମକୁ ଫରକ ପଡୁଛି, ପରିବର୍ତ୍ତନ ଆବଶ୍ୟକ’ ଅଭିଯାନର ଲୋଗୋ ଉନ୍ମୋଚିତ ହୋଇଥିଲା। ସ୍ୱଚ୍ଛତା, ପରିବେଶ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନରେ ଜନସହଭାଗିତା ବଢ଼ାଇବାକୁ ଏହି ଅଭିଯାନ ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା।
ଏଥିସହ ‘ଏକ ପେଡ୍ ମା କି ନାମ’ ଅଭିଯାନ ଅଧୀନରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ୧୦୦ରୁ ଅଧିକ ଫଳନ୍ତି ଚାରା ରୋପଣ କରାଯାଇଥିଲା। ଜନସହଭାଗିତା ମାଧ୍ୟମରେ ସ୍ୱଚ୍ଛ, ସୁସ୍ଥ ଓ ସବୁଜ ପାରାଦ୍ୱୀପ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା।