ଜଗତସିଂହପୁର, 04/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ସାମଗ୍ରିକ ବିକାଶକୁ ନେଇ ଆଲୋଚନା କରା ଯାଇଛି । ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଏବଂ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପ୍ରମୁଖ ଯୋଗ ଦେଇଥିଲେ ।ଜଗତସିଂହପୁର ଜିଲ୍ଲାର ବିକାଶ ଦିଗରେ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ନେଇଥିବା ଅତିଥିମାନେ କହିଥିଲେ । ଏଥିସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି, ଭିତ୍ତିଭୂମି ବିକାଶ, କ୍ରୀଡ଼ାର ଉନ୍ନତି ଏବଂ ଉପକୂଳ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ମାନସମନ୍ଥନ କରାଯାଇଥିଲା ।ଜଗତସିଂହପୁର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ମୌଳିକ ସମସ୍ୟା ଓ ଭବିଷ୍ୟତର ଆବଶ୍ୟକତା ନେଇ ଏହି ବାର୍ଷିକ ଉତ୍ସବରେ ଗୁରୁତ୍ୱପୂର୍ଣ୍ଣ ମତ ବିନିମୟ ହୋଇଥିଲା ।