ବୁଗୁଡ଼ା, 04/10/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):

ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ସରକାରୀ ସହାୟତା ବଣ୍ଟନ କରିଥିଲେ। ରାଜ୍ୟର ପ୍ରତ୍ୟେକ ଗରିବ, ଅସହାୟ ତଥା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୨ ଜଣ ନୂତନ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ୨୯ ଜଣଙ୍କୁ ବୃଦ୍ଧକାଳୀନ ଭତ୍ତା, ୧୧ ଜଣଙ୍କୁ ବିଧବା ଭତ୍ତା ଏବଂ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା। ଏଥି ସହିତ ସ୍ୱଚ୍ଛତା ହିଁ ସେବା - ୨୦୨୬ ଅବସରରେ ବୁଗୁଡ଼ା ଏନ୍.ଏ.ସି. ପକ୍ଷରୁ ଏନ୍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ତତ୍ତ୍ୱାବଧାନରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବର୍ଜ୍ୟବସ୍ତୁରୁ କଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ମନ୍ତ୍ରୀ ଶ୍ରୀ ମଲ୍ଲିକ, ଏନ୍.ଏ.ସି. ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

