ବୁଗୁଡ଼ା, 06/10/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ପାଇଁ ଆନୁଷ୍ଠାନିକ କାର୍ଯ୍ୟସୂଚୀ ଘୋଷଣା କରାଯିବା ପରେ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି।ନିର୍ବାଚନୀ ବିଜ୍ଞପ୍ତି ଅକ୍ଟୋବର ୭ ତାରିଖରେ ପ୍ରକାଶ ପାଇବା ସହ ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ମତଦାନ ଓ ଭୋଟ ଗଣତି ଅକ୍ଟୋବର ୧୫ ତାରିଖରେ ହେବ ଏବଂ ୧୬ ତାରିଖରେ ନବନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।୨୦୧୭ ପରେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲସ କଲେଜ କ୍ୟାମ୍ପସରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମେତ ବିଭିନ୍ନ ଛାତ୍ର ସଂଗଠନଗୁଡ଼ିକ ନିଜ ନିଜ ପ୍ରାର୍ଥୀ ଚୟନ, ସଂଗଠନ ମଜବୁତ କରିବା ଓ ରଣନୀତି ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇପଡ଼ିଛନ୍ତି।ଦୀର୍ଘ ବର୍ଷ ଧରି ନିର୍ବାଚନ ବନ୍ଦ ରହିବା ଫଳରେ କ୍ୟାମ୍ପସରେ ଛାତ୍ର ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ମଞ୍ଚ ମିଳୁନଥିଲା। ଏବେ ନିର୍ବାଚନ ଘୋଷଣା ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ସମସ୍ୟା ଉପସ୍ଥାପନ କରିବା ସହ ନେତୃତ୍ୱ ବିକାଶର ଏକ ବଡ଼ ସୁଯୋଗ ପାଇବେ ବୋଲି ମତ ଦେଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କ୍ୟାମ୍ପସରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପୁନଃକାର୍ଯ୍ୟକ୍ଷମ କରିଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଓ ଧନ୍ୟବାଦ ଅର୍ପଣ କରାଯାଇଛି। ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।