ରାହାମା, 06/10/2026, ଉତ୍କଳ voice news - utkalvoicenews.comରିପୋର୍ଟ୍ : ( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :
ତା - (୬/୧୦) :- “ମଣିଷ ଆରପାରିକୁ ଚାଲିଯାଏ ସିନା, ହେଲେ ତାଙ୍କର ସେବା, ଆତ୍ମୀୟତା, ମାନବିକତା ଓ ମହାନତା ସଦାସର୍ବଦା ଲୋକଙ୍କ ହୃଦୟରେ ଜୀବନ୍ତ ରହିଥାଏ।” ଏହି ଭାବପୂର୍ଣ୍ଣ ସ୍ମୃତିକୁ ହୃଦୟରେ ଧାରଣ କରି ସାଇଲୋ ମାଟିର ଜନପ୍ରିୟ ଦିବଂଗତ ସରପଞ୍ଚ ତଥା ସମାଜସେବୀ ସ୍ୱର୍ଗତ ସରୋଜ କୁମାର ସେଠୀ (ସରୋଜ ଭାଇ)ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତିସଭା ତେରମାଣପୁର (ମଠସାହି) ସ୍ଥିତ ତାଙ୍କ ବାସଭବନରେ ଅତ୍ୟନ୍ତ ଶୋକାକୁଳ ଓ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ସରୋଜ ଭାଇଙ୍କ ବିୟୋଗକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିର ଶୂନ୍ୟତା ଆଜି ବି ସାଇଲୋବାସୀଙ୍କ ମନରେ ଅନୁଭୂତ ହେଉଛି। ସ୍ମୃତିସଭାର ଆରମ୍ଭରେ ପଣ୍ଡିତ ଅଭୟ ଦାସ (ବୁଲୁ ନନା)ଙ୍କ ଦ୍ୱାରା ଗୀତା ପାଠ, ଦୀପ ପ୍ରଜ୍ୱଳନ ଏବଂ ସ୍ୱର୍ଗତ ସେଠୀଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସ୍ମୃତିସଭା ଆରମ୍ଭ ହୋଇଥିଲା। ସମଗ୍ର ପରିବେଶ ଶୋକାକୁଳ ଓ ଭାବବିହ୍ୱଳ ହୋଇଉଠିଥିଲା। ଏହି ସ୍ମୃତିସଭାରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିନାରାଣୀ ସାହୁ, ପଦ୍ମଶ୍ରୀ ବାବା ବଳିଆଙ୍କ ଶିଷ୍ୟ ତଥା ଜ୍ୟୋତିର୍ବିଦ ଡ଼. ଅରୁଣ କୁମାର ପାଣି, ଏରସମା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ଜେନା, ପାରାଦ୍ୱୀପ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ପାରାଦ୍ୱୀପ ଶିଳ୍ପାଞ୍ଚଳର ଶ୍ରମିକ ନେତା ଶ୍ରୀ ଅରିନ୍ଦମ ସର୍କେଲ, ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକୃଷ୍ଣ ମହାପାତ୍ର, ଆଇନଜୀବୀ ଶ୍ରୀ ଗତିକୃଷ୍ଣ ଶତପଥି, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦେବ ପ୍ରସାଦ ନାୟକ, ଆଇନଜୀବୀ ଶ୍ରୀ ରମେଶ ସାହୁ, ପୋତନାଇ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବ୍ରଜକିଶୋର ମହାରାଜ, ଜଗତସିଂହପୁରର ପୂର୍ବତନ ସାଂସଦ ଡ଼. କୁଳମଣି ସାମଲ, କୁଜଙ୍ଗ ବ୍ଲକ ଜୋନ୍-୨ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରବିନାରାୟଣ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଜୟ କୁମାର ସାହୁ, ମନୀନ୍ଦ୍ର ଗୁରୁ , ବର୍ତ୍ତୀ କଲେଜର ଅଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ବରୁଣ୍ଡି ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଅନାଦି ଚରଣ ଖଟୁଆ, ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିନୋଦ ବିହାରୀ ମୁଦୁଲି ଏବଂ ଶ୍ରୀ ତପନ କୁମାର ଗୋଛାୟତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ସରୋଜ ଭାଇଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟରେ ସ୍ୱର୍ଗତ ସରୋଜ ଭାଇଙ୍କ ନିଃସ୍ୱାର୍ଥପର ଜନସେବା, ଗରିବ ଓ ଅସହାୟ ଲୋକଙ୍କ ପ୍ରତି ଥିବା ତାଙ୍କର ଅଗାଧ ଭଲପାଇବା, ସରଳ ଜୀବନଶୈଳୀ ଓ ସମାଜ ପ୍ରତି ତାଙ୍କର ନିଷ୍ଠାକୁ ସ୍ମରଣ କରିଥିଲେ। ସେମାନେ କହିଥିଲେ ଯେ, ସରୋଜ ଭାଇଙ୍କ ଅକାଳ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ତେବେ ତାଙ୍କର ଆଦର୍ଶ, ମାନବିକତା ଓ ଜନସେବାମୂଳକ କାର୍ଯ୍ୟ ଆଗାମୀ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଇ ଚାଲିବ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଅତ୍ୟନ୍ତ ସୁନ୍ଦର ଓ ଭାବପୂର୍ଣ୍ଣ ଭାବରେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଶତାଧିକ ଗ୍ରାମବାସୀ, ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁବର୍ଗ ଓ ସମର୍ଥକମାନେ ପ୍ରସାଦ ସେବନ କରିଥିଲେ।
