ରାହାମା / ସାଇଲୋ, 06/10/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
ଜଗତସିଂହପୁର ଜିଲ୍ଲା ସାଇଲୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ସାଇଲୋ, ରାହାମା ପରିସରରେ ଦୁଇ ଦିନିଆ ସଂକୁଳସ୍ତରୀୟ ରାଷ୍ଟ୍ରୀୟ ବାଳ ବିଜ୍ଞାନ ଅଧିବେଶନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୫ ଓ ୬ ତାରିଖରେ ଆୟୋଜିତ ଏହି ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମରେ ରାଜ୍ୟର ୧୬ଟି ଜିଲ୍ଲାର ନବୋଦୟ ବିଦ୍ୟାଳୟରୁ ଆସିଥିବା ପ୍ରତିଭାଗୀ ଛାତ୍ରଛାତ୍ରୀମାନେ ୫ଟି ବିଭାଗରେ ଅଂଶଗ୍ରହଣ କରି ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଓ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ତଥା ସମାଜସେବୀ ଡଃ ସୁନାକର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଭୁବନେଶ୍ୱର ଆଇଆଇଏମ୍ଟିର ବୈଜ୍ଞାନିକ ଡଃ ଶିଶିର ମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଜବାହର ନବୋଦୟ ବିଦ୍ୟାଳୟ, କେନ୍ଦ୍ରାପଡ଼ାର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ରାଜେଶ ଘଡ଼ାଇ, ସାରଳା ମହାବିଦ୍ୟାଳୟ, ସାଇଲୋର ଅଧ୍ୟାପକ ଶ୍ରୀ ରବୀନ୍ଦ୍ର କୁମାର ନାୟକ ଏବଂ ଜବାହର ନବୋଦୟ ବିଦ୍ୟାଳୟ, ସାଇଲୋର ଉପାଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ପାଣି ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଅଧିବେଶନର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସଙ୍ଗୀତ ଶିକ୍ଷିକା ଶ୍ରୀମତୀ ପଦ୍ମଜା ବେହେରାଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅତିଥି ଓ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ।
ପରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଫିତା କାଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ସେ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ପ୍ରତିଭାଗୀ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କୁ ମୂଲ୍ୟବାନ ଉପଦେଶ ଓ ଉତ୍ସାହ ପ୍ରଦାନ କରିଥିଲେ।
ବରିଷ୍ଠ ବୈଜ୍ଞାନିକ ଡଃ ଶିଶିର ମନ୍ତ୍ରୀ ନିଜ ଅଭିଭାଷଣରେ ଦେଶ ଓ ସମାଜର ପ୍ରଗତିରେ ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।
ସେହିପରି ସମ୍ମାନିତ ଅତିଥି ଡଃ ସୁନାକର ବେହେରା ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଜଣେ ଭଲ ମଣିଷ ହେବା ସହ ସମାଜ ପାଇଁ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ଉଠିବାକୁ ପରାମର୍ଶ ଦେଇଥିଲେ।
ଅଧିବେଶନର ଦ୍ୱିତୀୟ ଦିନରେ ବିଭିନ୍ନ ବିଦ୍ୟାଳୟର ୧୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ପ୍ରକଳ୍ପ ପ୍ରଦର୍ଶନକୁ ଅତିଥିମାନେ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଦାୟିତ୍ୱ ବିଜ୍ଞାନ ବିଭାଗର ଶିକ୍ଷକ ଶ୍ରୀମତୀ ଅଙ୍ଗୁରବାଳା ବଳ, ଶ୍ରୀ ଅଂଶୁମାନ ମହାନ୍ତି, ଶ୍ରୀ ବିବେକ ପତି, ଶ୍ରୀ ଭବାନୀ ଓ ଶ୍ରୀ ଅରୁଣଙ୍କୁ ଦିଆଯାଇଥିବାବେଳେ ସେମାନେ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଏଥିସହ ଶ୍ରୀ ସିମାଞ୍ଚଳ ଗୌଡ଼, ଶ୍ରୀମତୀ ଅନାମିକା ଦାସ, ଶ୍ରୀ ସୂର୍ଯ୍ୟକାନ୍ତ ଘଡ଼ାଇ, ଶ୍ରୀ ଦିଗନ୍ତ ପଟ୍ଟନାୟକ, ଶ୍ରୀ ଆଦିତ୍ୟ ମହତ, ଶ୍ରୀମତୀ କବିତା ଜେନା, ଶ୍ରୀମତୀ ମିନାକ୍ଷୀ ବାରିକ, ଶ୍ରୀ ସୁଧୀରଞ୍ଜନ ମହାପାତ୍ର, ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଶ୍ରୀ ଉଗ୍ରସେନ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ପରିଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ରାମହରି ଶିଆଳ ଧନ୍ୟବାଦ ଅର୍ପଣ କରିଥିଲେ। ବିଜ୍ଞାନ, ସୃଜନଶୀଳତା ଓ ଛାତ୍ର ପ୍ରତିଭାର ଏହି ସମାଗମ ନବୋଦୟ ପରିସରକୁ ଜ୍ଞାନ ଓ ପ୍ରେରଣାରେ ଭରିଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଓ ନୂଆ କିଛି କରିବାର ଉତ୍ସାହ ସୃଷ୍ଟି କରିଛି।