କୁଜଙ୍ଗ , 07/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - ୦୬/୧୦ : କୁଜଙ୍ଗକୁ ଏନ୍ଏସି ମାନ୍ୟତା ପ୍ରଦାନ ଦାବି ନେଇ ଆନ୍ଦୋଳନ ତୀବ୍ର ହୋଇଛି। ଏହି ଦାବିରେ ମଙ୍ଗଳବାର କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ମଞ୍ଚ ପକ୍ଷରୁ କୁଜଙ୍ଗ ହାଟ ଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ମଞ୍ଚ ଆବାହକ ଡକ୍ଟର ରଘୁନାଥ ସାହୁ, ଉପଦେଷ୍ଟା ବାବୁରାମ ଚୌଧୁରୀ ଓ ପୀତାମ୍ବର ତରାଇଙ୍କ ନେତୃତ୍ୱରେ ଶତାଧିକ ବରିଷ୍ଠ ନାଗରିକ ଓ ଯୁବକ ଧାରଣାରେ ସାମିଲ ହୋଇଥିଲେ।
ମଞ୍ଚ ପକ୍ଷରୁ ଦାବି ସମର୍ଥନରେ ସଂଗ୍ରହ କରାଯାଇଥିବା ପ୍ରାୟ ୬ ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରାଙ୍କୁ ପ୍ରଦାନ କରାଯାଇଥିଲା। ତହସିଲଦାର ଦାବିପତ୍ର ଗ୍ରହଣ କରି ଏହାକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସରକାରଙ୍କ ନିକଟକୁ ପଠାଇବା ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିବା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ୧୪ ମାର୍ଚ୍ଚ ୨୦୨୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଜଙ୍ଗକୁ ଏନ୍ଏସି ଘୋଷଣା କରିଥିଲେ। ତେବେ ଏହାର ଆବଶ୍ୟକ ପ୍ରକ୍ରିୟା ଓ ଅର୍ଥ ମଞ୍ଜୁରୀ ପୂର୍ବରୁ ସରକାର ପରିବର୍ତ୍ତନ ହୋଇଥିବାରୁ ଘୋଷଣା କାର୍ଯ୍ୟକାରୀ ହୋଇନଥିବା ମଞ୍ଚ ଅଭିଯୋଗ କରିଛି।
ସେହିପରି, ପୂର୍ବରୁ ମଧ୍ୟ ଏହି ଦାବିକୁ ନେଇ ଆନ୍ଦୋଳନ ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।
ମଞ୍ଚର ଦାବି ଅନୁସାରେ, କୁଜଙ୍ଗ ଏନ୍ଏସି ପାଇଁ ପ୍ରଶାସନିକ ପ୍ରକ୍ରିୟାର କିଛି କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନ୍ଏସି ଘୋଷଣା ହୋଇନାହିଁ।
ଗଣଧାରଣାରେ ମଞ୍ଚ ପକ୍ଷରୁ ଦଶହରା ପୂର୍ବରୁ ଦାବି ପୂରଣ କରାଯିବାକୁ ଦାବି କରାଯାଇଥିଲା। ଦାବି ପୂରଣ ନହେଲେ ଆସନ୍ତା ନଭେମ୍ବର ୩ ତାରିଖରେ କୁଜଙ୍ଗ ବନ୍ଦ ପାଳନ ସହ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମଞ୍ଚ ନେତୃତ୍ୱ ଘୋଷଣା କରିଛନ୍ତି।
ଧାରଣା ସଭାରେ ରଂଜିତ ବିଶ୍ୱାଳ, ରମେଶ ଦାସ, ହୃଷିକେଶ ନାଥ, ସୁବାସ ମହାପାତ୍ର, ପ୍ରିୟମ୍ବଦା ପାଣି, ଜାନକୀ ମହାରଥା, ନବୀନ ପ୍ରଧାନ, ଡକ୍ଟର ଗଙ୍ଗାଧର ସାମନ୍ତରାୟ, ସରୋଜ କୁମାର ବେହେରା, ବିଭୁତି ଭୂଷଣ ଜେନା, କ୍ୟାପଟେନ ଅଜୟ ଖୁଣ୍ଟିଆ, ରଜନୀକାନ୍ତ ଗୁରୁ, ଗୀତା ଦାସ, ବିଜୟ ଖଟେଇ, ବିବେକାନନ୍ଦ ଦାସ, ଶରତ ଜେନା, ରାମଦାସ ମହାନ୍ତି, ଦୁଷ୍ମନ୍ତ ମାଝୀ, ରଂଜିତ ଦାଶ, ରଶ୍ମିରଂଜନ ଦାସ ଓ ଗୋଲେଖ ଜୟସିଂହଙ୍କ ସମେତ ବହୁ ନେତୃତ୍ୱ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ମଞ୍ଚର ଅଧ୍ୟକ୍ଷତା କରିଥିବା ବାବୁରାମ ଚୌଧୁରୀ ଆଗାମୀ ଦିନରେ ଦାବି ନେଇ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଥିଲେ। କୁଜଙ୍ଗକୁ ଏନ୍ଏସି ମାନ୍ୟତା ଦେବା ଦାବିରେ ଏହି ନିର୍ଦଳୀୟ ଆନ୍ଦୋଳନକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳୁଥିବା ମଞ୍ଚ ପକ୍ଷରୁ କୁହାଯାଇଛି।