ଏରସମା, 07/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ସ୍ଥିତ ସିଦ୍ଧଗୁମ୍ଫା ଆଶ୍ରମ ସମ୍ମୁଖ ପଡ଼ିଆରେ ୧୩ ଦଫା ଦାବୀକୁ ନେଇ ଢ଼ିଙ୍କିଆ ଚାରିଦେଶ ଉନ୍ନୟନ ସମିତି ପକ୍ଷରୁ ଅନୁଷ୍ଠିତ ଗଣ ଧାରଣାର ପଞ୍ଚମ ଦିବସର ଅପରାହ୍ନରେ ପ୍ରଶାସନ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ,ଆଲୋଚନା ବିଫଳ ହୋଇଛି।ଆଜି ଅନୁଷ୍ଠିତ ପଞ୍ଚମ ଦିବସର ଗଣ ଧାରଣାରେ,ଏରସମା ବ୍ଲକ୍ କଂଗ୍ରେସ ସଭାପତି ତଥା ୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ,ବାଲିତୁଠ ମଣ୍ଡଳ କ୍ରୃଷକ ମୋର୍ଚ୍ଚା ସଭାପତି ଅବନୀ ଭୂୟାଁ,ସମାଜସେବୀ ସମରେନ୍ଦ୍ର ନାୟକ,ପୂର୍ବତନ ସରପଞ୍ଚ ବାସୁଦେବ ସ୍ଵାଇଁ,ରଶ୍ମି ରଞ୍ଜନ ସ୍ଵାଇଁ,ସୁଦାମ ପଲ୍ଲାଇ,ଭ୍ରମରବର ଦାସ,ଶ୍ଵେତ ରାଉତ,ଭଗବତୀ ଦାସ ଓ ବେବିନା ସ୍ୱାଇଁ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି,ପାଞ୍ଚ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ଉନ୍ନୟନ ସମିତିକୁ ସମର୍ଥନ ଜଣାଇଛନ୍ତି। ତେବେ ଆଜି ଅପରାହ୍ନରେ ଧାରଣା ସ୍ଥଳରେ ଜଗତସିଂହପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ଏରସମା ତହସିଲଦାର ସ୍ନୀଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରା ପହଞ୍ଚି ଆଲୋଚନା କରିଥିଲେ।ଉପଜିଲ୍ଲାପାଳ ଶ୍ରୀ ତରାଇ ଧାରଣା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଦେଇ ଦାବି ସମ୍ପର୍କିତ ଜିଲ୍ଲା ପ୍ରଶାସନ ସହିତ ଏକ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରାଯିବାକୁ କହିଥିଲେ। ତେବେ ଆଲୋଚନାରେ କଂପାନୀ କର୍ତ୍ତୃପକ୍ଷ ରହି ଏକ ତ୍ରୀପାଖିକ ଆଲୋଚନା ଦୂର୍ଗାପୂଜା ପରବର୍ତ୍ତୀ ସମୟରେ ହେବ ବୋଲି କହିଥିଲେ।ମାତ୍ର ଧାରଣା ସ୍ଥଳରେ ଉପସ୍ଥିତ ନେତ୍ରୃମଣ୍ଡଳୀ ଏବଂ ଉନ୍ନୟନ ସମିତିର ସଦସ୍ୟା ମାନେ ,ଦାବି ପୂରଣ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ଏବଂ ଧାରଣା ଚାଲୁ ରହିଥିବା ବେଳେ ପ୍ରଶାସନ ଏବଂ କଂପାନୀ କର୍ତ୍ତୃପକ୍ଷ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିବାକୁ ଜିଦ୍ ଧରିଥିଲେ। ଯେଉଁଥିପାଇଁ ଦୀର୍ଘ ସମୟ ଧରି ଆଲୋଚନା ବିଫଳ ହୋଇଛି ଏବଂ ପ୍ରଶାସନିକ ଅଧିକାରୀ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଗଣ ଧାରଣା ଚାଲୁ ରହିବ ବୋଲି ସୂଚନା ମିଳିଛି।