ପାରାଦ୍ୱୀପ, 07/10/2026, ଉତ୍କଳ voice news - utkalvoicenews.com

ପାରାଦ୍ୱୀପ ପୌରପାଳିକା ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଅବସରରେ ୫ ନମ୍ବର ୱାର୍ଡ ଅନ୍ତର୍ଗତ ବିଜୟଚନ୍ଦ୍ରପୁର ତାରିଣୀଗଡ଼ାଠାରେ ଏକ ସ୍ୱଚ୍ଛତା ସଚେତନତା ଓ ଜନସମସ୍ୟା ଆଲୋଚନା କାର୍ଯ୍ୟକ୍ରମ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହାର ବିଷୟବସ୍ତୁ ରହିଛି—‘ପ୍ରଭାବଶାଳୀ ପରିବର୍ତ୍ତନ ପାଇଁ ସମ୍ମିଳିତ ପ୍ରୟାସ’।
କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନେ ଡ୍ରେନ୍, ପାନୀୟ ଜଳ, ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ପରିମଳ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ନିଜ ମତାମତ ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ଏଥିସହ ପ୍ରତିଦିନ ଘରୁ ବାହାରୁଥିବା ଅଳିଆକୁ ପୌରପାଳିକାର ଅଳିଆ ସଂଗ୍ରହ ଗାଡ଼ିକୁ ପ୍ରଦାନ କରିବା ଏବଂ ଅଳିଆକୁ ଉତ୍ସସ୍ଥଳରୁ ପୃଥକୀକରଣ କରିବା ଉପରେ ଆଲୋଚନା ହୋଇଥିଲା।
କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ଓ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ ଲୋକମାନଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ପୌରପାଳିକା ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
ଏହି ଅବସରରେ ପାରାଦ୍ୱୀପ ପୌରପାଳିକାର ସ୍ୱଚ୍ଛତା ଆମ୍ବାସାଡର ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର ଲୋକମାନଙ୍କୁ ଘରୋଇ ଅଳିଆକୁ ଓଦା ଓ ଶୁଖିଲା ଅଳିଆ ଭାବେ ପୃଥକ କରି ପୌରପାଳିକାର ଅଳିଆ ସଂଗ୍ରହ ଗାଡ଼ିକୁ ଦେବା ପାଇଁ ସଚେତନ କରିଥିଲେ। ପୃଥକୀକୃତ ଅଳିଆକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରି ପୁନଃବ୍ୟବହାର ଓ ଉପଯୋଗୀ ସାମଗ୍ରୀରେ ପରିଣତ କରାଯାଇପାରିବ ବୋଲି ସେ କହିଥିଲେ।
ସେହିପରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାରରୁ ଦୂରେଇବା ସହ RRR—Reduce, Reuse, Recycle ନୀତିକୁ ଦୈନନ୍ଦିନ ଜୀବନରେ ଆପଣାଇବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ। ନିଜ ଦାୟିତ୍ୱ ନିଜେ ପାଳନ କଲେ ହିଁ ସ୍ୱଚ୍ଛ ଭାରତ ଓ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ସର୍ବେଶ୍ୱର ବଳିୟାରସିଂହ, ପରିଷଦ ସଦସ୍ୟ ଶ୍ରୀ ସୁବ୍ରତ ପ୍ରଧାନ, ପୌରପାଳିକା ଜୁନିୟର ଇଞ୍ଜିନିୟର, ୫ ନମ୍ବର ୱାର୍ଡର ପାରିଷଦ ଶ୍ରୀମତୀ ସ୍ୱପ୍ନାରାଣୀ ଜେନା, ବିଜୟଚନ୍ଦ୍ରପୁର ନାଗରିକ ପରିଷଦ ସଭାପତି ଶ୍ରୀ ପ୍ରଭାତ ନନ୍ଦୀ, ସମାଜସେବୀ ଶ୍ରୀ ଅନନ୍ତ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ନାଗରିକ ଯୋଗଦେଇଥିଲେ।
ଶେଷରେ ପାରାଦ୍ୱୀପକୁ ‘ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ପାରାଦ୍ୱୀପ’ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତେ ନିଜ ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦିଆଯାଇଥିଲା। “ଆମକୁ ଫରକ ପଡୁଛି, ପରିବର୍ତ୍ତନ ଆବଶ୍ୟକ” ବାର୍ତ୍ତା ସହ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା।