କୁଜଙ୍ଗ / ପଥୁରିଆ, 11/10/2026, ଉତ୍କଳ voice news - utkalvoicenews.com (ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ):
ତାରିଖ : ୧୦/୧୦/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ପଥୁରିଆ ଗଡ଼ା ନିକଟରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମହେଶ୍ୱର ନାଥ ଓରଫ ବାବାଜୀ (୩୦)ଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଉତ୍ତେଜନା ଦେଖାଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମହେଶ୍ୱର ନାଥ କଟକ ଯିବା ପାଇଁ ବସ୍କୁ ଅପେକ୍ଷା କରି ପଥୁରିଆ ଗଡ଼ା ନିକଟରେ ରାସ୍ତାର ବାମ ପାର୍ଶ୍ୱରେ ଠିଆ ହୋଇଥିଲେ। ଏହି ସମୟରେ କୁଜଙ୍ଗ ପଟୁ ଏକ ବାଇକ୍ରେ ଦୁଇ ଜଣ ଆସୁଥିବାବେଳେ ମହେଶ୍ୱରଙ୍କ ସହ ଧକ୍କା ହୋଇଥିଲା। ଫଳରେ ମହେଶ୍ୱରଙ୍କ ସମେତ ମୋଟ ତିନି ଜଣ ଆହତ ହୋଇଥିଲେ। ତେବେ ମହେଶ୍ୱରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ପଠାଯାଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ଏହାଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ଶବ ସତ୍କାର ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ପରିବାରର ସମସ୍ୟା ଦୂର କରିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଗୁରୁତର ଆହତ ଦୁଇ ଜଣଙ୍କ ପରିଚୟ ସମ୍ପର୍କରେ ଏଯାବତ୍ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସର ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପଥୁରିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।