ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚାନ୍ଦପୁରରେ ଯୁବତୀଙ୍କ ସୁରକ୍ଷା ଚିନ୍ତା, ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ଆବଶ୍ୟକ

ରାହାମା / ଚାନ୍ଦପୁର, 14/10/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ଚାନ୍ଦପୁରସ୍ଥିତ ହନୁମାନ ମନ୍ଦିର ନିକଟରେ ଜଣେ ଆଶ୍ରୟହୀନ ଯୁବତୀ ରହୁଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ପ୍ରାୟ ୨୫ରୁ ୨୬ ବର୍ଷ ବୟସର ଯୁବତୀ ନିଜ ନାମ ଶିବାନୀ ବୋଲି କହୁଥିବା ବେଳେ ତାଙ୍କ ପରିଚୟ ଓ ପରିବାର ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଯୁବତୀଙ୍କ କହିବା ଅନୁଯାୟୀ, ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ସେ ଶାଶୂଘରେ ନିର୍ଯାତନାର ସମ୍ମୁଖୀନ ହୋଇ ଘର ଛାଡ଼ି ଆସିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ଯାଞ୍ଚ ସହ ତାଙ୍କ ପ୍ରକୃତ ପରିଚୟ ଓ ପରିବାରର ସନ୍ଧାନ କରିବା ଆବଶ୍ୟକ ହୋଇପଡ଼ିଛି। ସମାଜସେବୀ ଡ଼. ଅରୁଣ କୁମାର ପାଣି ଯୁବତୀଙ୍କୁ ସୁରକ୍ଷିତ ଆଶ୍ରୟ, ଆବଶ୍ୟକ ଚିକିତ୍ସା ଓ ମାନସିକ ସହାୟତା ଯୋଗାଇଦେବା ସହ ପରିବାରର ସନ୍ଧାନ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ଏହି ଘଟଣାରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଡ଼. ସୁନାକର ବେହେରାଙ୍କ ସମେତ ସାମ୍ବାଦିକ ଅକ୍ଷୟ ଦେବାଶିଷ ମହାନ୍ତି, ବିନୋଦ ବରାଳ, ଜୟନ୍ତ କୁମାର ମହାନ୍ତି, ଖିରୋଦ ଦାସ ଓ ପ୍ରିୟରଞ୍ଜନ ମହାନ୍ତି ପ୍ରମୁଖ ଗଣମାଧ୍ୟମ ଜରିଆରେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। କୁଜଙ୍ଗ ପୁଲିସ, ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ମହିଳା ସୁରକ୍ଷା ବିଭାଗ ଘଟଣାରେ ହସ୍ତକ୍ଷେପ କରି ଯୁବତୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ତାଙ୍କ ପରିଚୟ ଓ ପରିବାରର ସନ୍ଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ଯୁବତୀଙ୍କ ଗୋପନୀୟତା ଓ ମାନବିକ ମର୍ଯ୍ୟାଦା ରକ୍ଷା କରିବାକୁ ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
7