ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା, ସଫଳ ଚାଷୀ ସମ୍ବର୍ଦ୍ଧିତ

ଏରସମା, 14/10/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ତା - ୧୪/୧୦ : ମତ୍ସ୍ୟଚାଷ ଓ ପ୍ରାଣୀପାଳନ କେବଳ ଜୀବିକାର ମାଧ୍ୟମ ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଯୁବପିଢ଼ି ପାଇଁ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାର ଏକ ପ୍ରମୁଖ ଆଧାର। ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନର ସଠିକ୍ ଉପଯୋଗ କରିପାରିଲେ ଚାଷୀମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଆୟ ବୃଦ୍ଧି କରିପାରିବେ। ଏହି ଲକ୍ଷ୍ୟ ନେଇ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ଆୟୋଜିତ ଏହି ମେଳାରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନର ସଦୁପଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ସହ ଗ୍ରାମାଞ୍ଚଳରେ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମତପ୍ରକାଶ କରିଥିଲେ।
Article Image
ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବା ସହ ଏହାର ସୁଯୋଗ ନେବା ଉଚିତ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ, ଆରକ୍ଷୀ ଅଧୀକ୍ଷକ ଅଙ୍କିତ ବର୍ମା, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ ପିଲ୍ଲେ, ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଏବଂ ଏରସମା ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଆନନ୍ଦ ପ୍ରଧାନ, ବିଶ୍ୱଜିତ ମହାରଣା, ସତ୍ୟଜିତ ରାଉତରାୟ, ଦିଲ୍ଲୀପ କୁମାର ପାତ୍ର, ବାସନ୍ତୀ ଦାସ, ସେଫାଳୀ ସ୍ୱାଇଁ, ରାହାସ ବିହାରୀ ଦାସ, ଝରଣା ବେହେରା, ନିମାଇଁ ଚରଣ ଜେନା, ଯଶୋବନ୍ତ ମହାପାତ୍ର, ସତ୍ୟରଞ୍ଜନ ରାଉତରାୟ, ପବିତ୍ର କୁମାର ମଲ୍ଲ, ଶୁଭାଶିଷ ରାଉତ, ଜ୍ୟୋତ୍ସ୍ନାରାଣୀ ଭୌମିକ ଓ ଶଶ୍ମିତା ମଣ୍ଡଳଙ୍କ ସମେତ ସଫଳ ମତ୍ସ୍ୟଚାଷୀ, ପ୍ରାଣୀପାଳକ ଓ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେଇ ଅତିଥିମାନଙ୍କ ଦ୍ୱାରା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏରସମା ବିଡିଓ ବଳଦେବ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଶଶାଙ୍କ ଶେଖର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଡବ୍ଲ୍ୟୁଇଓ ରଶ୍ମୀ ଦେବୀ ମଞ୍ଚ ସଂଯୋଜନା କରିଥିଲେ। ମତ୍ସ୍ୟଚାଷ, ପ୍ରାଣୀପାଳନ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ସହ ଅନ୍ୟମାନଙ୍କୁ ଏହି କ୍ଷେତ୍ରରେ ଆଗେଇ ଆସିବାକୁ ପ୍ରେରଣା ଦେବା ଏହି ମେଳାର ଏକ ପ୍ରମୁଖ ଆକର୍ଷଣ ଥିଲା।
7