ପାରାଦ୍ୱୀପ, 15/10/2026, ଉତ୍କଳ voice news - utkalvoicenews.com( ପୁନର୍ବାର ବିକ୍ରି କଲେ ଦୋକାନ ବନ୍ଦ ସହ ଜରିମାନା ଚେତାବନୀ )

ତା - ୧୫/୧୦ : ପାରାଦ୍ୱୀପକୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଓ ପଲିଥିନମୁକ୍ତ କରିବା ଲକ୍ଷ୍ୟରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ଚଢ଼ାଉ ଅଭିଯାନକୁ ଜୋରଦାର କରାଯାଇଛି। ଗତକାଲି ପୌରପାଳିକା ଅନ୍ତର୍ଗତ ବାଉରିଆପାଳନ୍ଦା ଅଞ୍ଚଳରେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ପଲିଥିନ, ଥର୍ମୋକୋଲ୍ ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯିବା ସହ ଦୋକାନୀମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା।
ଚଢ଼ାଉରୁ ଫେରିବା ସମୟରେ ଅଠରବାଙ୍କୀ ମାର୍କେଟର ଗୋଟିଏ ଦୋକାନରୁ ୨୦୦ କିଲୋଗ୍ରାମରୁ ଊର୍ଦ୍ଧ୍ୱ ପଲିଥିନ ଜବତ କରାଯାଇଥିଲା। ପୁନର୍ବାର ଏଭଳି ନିଷିଦ୍ଧ ସାମଗ୍ରୀ ବିକ୍ରି କଲେ ଦୋକାନ ବନ୍ଦ କରିବା ସହ ବଡ଼ ପରିମାଣର ଜରିମାନା ଆଦାୟ କରାଯିବ ବୋଲି ପୌରପାଳିକାର ଏନ୍ଫୋର୍ସମେଣ୍ଟ ଅଧିକାରିଣୀ ଗୀତାଞ୍ଜଳି ଦାସ ଚେତାବନୀ ଦେଇଛନ୍ତି।
ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡାଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ପାରାଦ୍ୱୀପକୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ମୁକ୍ତ କରିବା ପାଇଁ ପୌରପାଳିକା ପ୍ରତିବଦ୍ଧ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥିସହ ପଲିଥିନର ଭୟାବହତା ସମ୍ପର୍କରେ ଜନସାଧାରଣ ସଚେତନ ହେବା ସହ ଏହାର ବିକଳ୍ପ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଏହି ଚଢ଼ାଉରେ ପାରାଦ୍ୱୀପ ପୌରପାଳିକାର ସ୍ୱଚ୍ଛତା ରାଷ୍ଟ୍ରଦୂତ ଅମ୍ବିକା ପ୍ରସାଦ ମହାପାତ୍ର ମଧ୍ୟ ସାମିଲ ହୋଇଥିଲେ। ସେ ବ୍ୟବସାୟୀମାନଙ୍କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ଗ୍ଲାସ୍, ଚାମଚ ଓ ଥର୍ମୋକୋଲ୍ରେ ତିଆରି ସାମଗ୍ରୀ ବ୍ୟବହାର ନକରିବା ପାଇଁ ସଚେତନ କରିଥିଲେ।
ଶ୍ରୀ ମହାପାତ୍ର କହିଥିଲେ ଯେ, ପଲିଥିନ ବ୍ୟବହାର ବନ୍ଦ କରିବାକୁ ଅନେକ ବ୍ୟବସାୟୀ ଆଗ୍ରହୀ ଥିବାବେଳେ କିଛି ଅସାଧୁ ବ୍ୟବସାୟୀ ଲୁଚାଛପାରେ ବାଇକ, ସ୍କୁଟି ଓ ଟ୍ରଲି ମାଧ୍ୟମରେ ପଲିଥିନ ଆଣି ବିକ୍ରି କରୁଛନ୍ତି। ତେଣୁ ଏଭଳି ବ୍ୟବସାୟୀ ଓ ଯୋଗାଣକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପୌରପାଳିକା ପକ୍ଷରୁ ନିୟମିତ ଚଢ଼ାଉ କରିବା ଏବଂ ଏନ୍ଫୋର୍ସମେଣ୍ଟ ଟିମ୍କୁ ଅଧିକ ସଶକ୍ତ କରିବାକୁ ସେ ଅନୁରୋଧ କରିଥିଲେ।
ପାରାଦ୍ୱୀପକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ସହର ଭାବେ ଗଢ଼ିତୋଳିବା ପାଇଁ ପୌରପାଳିକା ସହ ଜନସାଧାରଣ ଓ ବ୍ୟବସାୟୀମାନେ ମିଳିତ ଭାବେ ସହଯୋଗ କରିବା ଆବଶ୍ୟକ। “ଆମକୁ ଫରକ ପଡ଼ୁଛି, ପରିବର୍ତ୍ତନ ଆବଶ୍ୟକ” ବାର୍ତ୍ତା ସହ ପଲିଥିନ ବଦଳରେ ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାର କରିବାକୁ ଶ୍ରୀ ମହାପାତ୍ର ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।