ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଶାମୁକ୍ତ ଓ ସ୍ୱଚ୍ଛ ଓଡ଼ିଶା ଗଠନ ପାଇଁ କଳିଙ୍ଗ ମହିଳା ଶକ୍ତିର ସଚେତନତା ଅଭିଯାନ

ପାରାଦୀପ , 16/10/2026, ଉତ୍କଳ voice news - utkalvoicenews.comତା -୧୬।୧୦।୨୦୨୬ : ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇ କଳିଙ୍ଗ ମହିଳା ଶକ୍ତି ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀଠାରୁ ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ୧୫ ଦିନ ଧରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନର ଅଂଶସ୍ୱରୂପ ଆଜି ବଡ଼ପଡ଼ିଆଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
Article Image
ସଭାରେ ବିଶିଷ୍ଟ ପରିବେଶବିତ୍ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଶ୍ରୀ ବାବୁରାମ ଚୌଧୁରୀ, ଶ୍ରୀମତୀ ଲକ୍ଷ୍ମୀ ମହାନ୍ତି, ତିଖିରି ସରପଞ୍ଚ ସୁଶ୍ରୀ ଚେମେଲୀ ଓଝା ଏବଂ ଶ୍ରୀ ବିଷ୍ଣୁ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ଭାବେ ପାରାଦ୍ୱୀପର ସ୍ୱଚ୍ଛତା ଆମ୍ବାସାଡର୍ ତଥା ପରିବେଶବିତ୍ ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର ଏବଂ ପରିବେଶବିତ୍ ଶ୍ରୀ ପ୍ରଭାସ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। ସମାଜସେବୀ ତଥା ନାରୀନେତ୍ରୀ ଶ୍ରୀମତୀ ମନୋରମା ଖଟୁଆ ସଭା ପରିଚାଳନା କରିଥିଲେ।
Article Image
ସଭାରେ ନିଶା ନିବାରଣ, ସ୍ୱଚ୍ଛତା, ପରିବେଶ ପ୍ରଦୂଷଣ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ସମାଜ ପ୍ରତି ଅବଦାନ ଉପରେ ଆଲୋଚନା ହୋଇଥିଲା।
Article Image
ଏକକ ବ୍ୟବହୃତ ପ୍ଲାଷ୍ଟିକ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ବୋଲି ଉଲ୍ଲେଖ କରି ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର ଏହାର ବ୍ୟବହାର ହ୍ରାସ କରିବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ ନିଶାର କୁପ୍ରଭାବ ଉପରେ ଆଲୋକପାତ କରି କହିଥିଲେ ଯେ, ନିଶା ମଣିଷର ଜୀବନ ଓ ସମାଜକୁ କ୍ଷତିଗ୍ରସ୍ତ କରୁଛି। ନିଶାଠାରୁ ଦୂରେଇ ରହିଲେ ଦୁର୍ଘଟଣା ଓ ହିଂସା ହ୍ରାସ ପାଇବା ସହ ସମାଜରେ ଅନେକ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ। ଏଥିପ୍ରତି ସରକାର ଅଧିକ ଧ୍ୟାନ ଦେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ। କଳିଙ୍ଗ ମହିଳା ଶକ୍ତିର ସଭାପତି ଶ୍ରୀମତୀ ମନୋରମା ଖଟୁଆ ନିଜ ବକ୍ତବ୍ୟରେ ସମାଜସେବା ଏବଂ ମହିଳାମାନଙ୍କ ସୁଖଦୁଃଖରେ ସାଥୀ ହୋଇ ଠିଆ ହେବାର ସଂକଳ୍ପ ପ୍ରକାଶ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସଂଗଠନ ନିରନ୍ତର କାର୍ଯ୍ୟ କରିବ ବୋଲି ସେ କହିବା ସହ ସମାଜରେ ପରିବର୍ତ୍ତନ ଆଣିବାକୁ ସମସ୍ତଙ୍କୁ ଗୋଟିଏ ପାଦ ଆଗକୁ ବଢ଼ାଇବା ପାଇଁ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ସମାଜ ଗଠନ, ସ୍ୱଚ୍ଛତାର ପ୍ରସାର ଏବଂ ପରିବେଶ ସୁରକ୍ଷା ଦିଗରେ ଏହି ଅଭିଯାନ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାର ଏକ ପ୍ରୟାସ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
9