ଜଗତସିଂହପୁର, 21/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ ) :
ଦଶହରା ଅବସରରେ ଜଗତସିଂହପୁର ସହରରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ଦାଣ୍ଡିଆ ନାଇଟ୍ କାର୍ଯ୍ୟକ୍ରମ। ‘ସୋନୁ ଘର ଷ୍ଟୁଡିଓ’ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ପରିସରରେ ଆୟୋଜିତ ଏହି ଉତ୍ସବରେ ଯୁବକ, ଯୁବତୀ ଓ ମହିଳାମାନେ ଉତ୍ସାହର ସହ ଯୋଗଦେଇ ଦାଣ୍ଡିଆ ନୃତ୍ୟର ମଜା ନେଇଥିଲେ।
ପାର୍ବଣର ଉତ୍ସାହ ଓ ମା’ଙ୍କ ଆରାଧନା ମଧ୍ୟରେ ସଙ୍ଗୀତର ତାଳେ ତାଳେ ଦାଣ୍ଡିଆ ନୃତ୍ୟରେ ମସଗୁଲ୍ ହୋଇଥିଲେ ଉପସ୍ଥିତ ଅଂଶଗ୍ରହଣକାରୀ। ନୃତ୍ୟ ଓ ସଙ୍ଗୀତର ମନୋରମ ପରିବେଶ ସମସ୍ତଙ୍କ ମନରେ ଭରିଦେଇଥିଲା ଆନନ୍ଦ ଓ ଉଲ୍ଲାସ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ସାରଦା ମଣ୍ଡପ ପରିସରରେ ଦର୍ଶକଙ୍କ ଭିଡ଼ ଜମିଥିଲା।
ଦଶହରାର ଉତ୍ସବମୁଖର ପରିବେଶକୁ ଆହୁରି ଆକର୍ଷଣୀୟ କରିଥିଲା ଏହି ଦାଣ୍ଡିଆ ନାଇଟ୍। ଭକ୍ତି, ସଙ୍ଗୀତ ଓ ନୃତ୍ୟର ଏହି ସମାଗମ ଉପସ୍ଥିତ ଦର୍ଶକଙ୍କ ପାଇଁ ଏକ ଆନନ୍ଦମୟ ଅନୁଭୂତି ପାଲଟିଥିଲା।