ଜଗତସିଂହପୁର, 21/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଦେଶର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଯାଇ ନିଜର ଅମୂଲ୍ୟ ଜୀବନକୁ ବଳିଦାନ ଦେଇଥିବା ବୀର ପୋଲିସ କର୍ମଚାରୀଙ୍କ ସ୍ମୃତିରେ ପାଳିତ ହୋଇଛି ୬୭ତମ ପୋଲିସ ଶହୀଦ ଦିବସ। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୁନଙ୍ଗସ୍ଥିତ ପୋଲିସ ବ୍ୟାରେକ ପଡ଼ିଆରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା। କାର୍ଯ୍ୟକ୍ରମରେ ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ପୋଲିସ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ବିଭିନ୍ନ ଥାନାର ଆଇଆଇସିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇ ଶହୀଦମାନଙ୍କ ବଳିଦାନକୁ ସ୍ମରଣ କରିଥିଲେ। ଦେଶର ସୁରକ୍ଷା, ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ଦିଗରେ ପୋଲିସ ବାହିନୀର ତ୍ୟାଗ ଓ ବଳିଦାନ ଅତୁଳନୀୟ। କର୍ତ୍ତବ୍ୟ ସମ୍ପାଦନ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଶହୀଦମାନଙ୍କ ସାହସ ଓ ନିଷ୍ଠାକୁ ମନେ ପକାଇ ସେମାନଙ୍କ ପ୍ରତି ଗଭୀର ସମ୍ମାନ ଜଣାଇଥିଲେ ଉପସ୍ଥିତ ପୋଲିସ ଅଧିକାରୀ ମାନେ। ଶହୀଦମାନଙ୍କ ଏହି ମହାନ ବଳିଦାନ ଆଗାମୀ ପିଢ଼ିକୁ ଦେଶସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସର୍ବଦା ପ୍ରେରଣା ଯୋଗାଇବ।