ଜଗତସିଂହପୁର, 22/10/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
ବିଜୟା ଦଶମୀ ଅବସରରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ମହାଆଡ଼ମ୍ବରରେ ପାଳିତ ହୋଇଛି ୩୮ତମ ରାବଣ ପୋଡ଼ି ଉତ୍ସବ। ଶ୍ରୀରାମ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା।
କାର୍ଯ୍ୟକ୍ରମରେ ପ୍ରଥମେ ରାମଲୀଳା ପ୍ରଦର୍ଶନ କରାଯାଇଥିବା ବେଳେ ପରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ସହ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ।
ରାବଣ ପୋଡ଼ି ସହ ବିଭିନ୍ନ ରଙ୍ଗବେରଙ୍ଗର ଆତସବାଜି ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଶାନ୍ତିଶୃଙ୍ଖଳାର ସହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତା ଶୁକ୍ରବାର ଭସାଣି ଉତ୍ସବ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।