ରାୟଗଡ଼ା, 22/10/2026, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ) :
ତା - ୨୨/୧୦ : ଉତ୍କଳ ଆଲୁମିନା ଇଣ୍ଟରନାସ୍ନାଲ ଲିମିଟେଡ଼ (ୟୁଏଆଇଏଲ୍), ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍, ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ କମ୍ପାନୀ ପକ୍ଷରୁ ଦୋରାଗୁଡ଼ା ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ଭକ୍ତି, ଉତ୍ସାହ ଓ ସାଂସ୍କୃତିକ ଉତ୍କର୍ଷର ସହ ଦୁର୍ଗାପୂଜା ୨୦୨୬ ପାଳନ କରାଯାଇଅଛି । ପାଞ୍ଚଦିନ ବ୍ୟାପୀ ଏହି ଉତ୍ସବରେ କମ୍ପାନୀର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ପ୍ଲାଣ୍ଟ ଓ ବାଫ୍ଲିମାଳି ଖଣି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନେ ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ । ଏହା ମାଧ୍ୟମରେ ଏକତା, ପରମ୍ପରା ଓ ସାମାଜିକ ସଦ୍ଭାବର ନିଦର୍ଶନ ପ୍ରତିଫଳିତ ହୋଇଥିଲା ।
ଗତ ଅକ୍ଟୋବର ୧୬ ରିଖରେ ମହାପଞ୍ଚମୀ ପୂଜା ସହ ଉତ୍ସବର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ମା’ ଦୁର୍ଗାଙ୍କ ମଣ୍ଡପରେ ପାରମ୍ପରିକ ବିଲ୍ୱଧିବସ ରୀତିନୀତିରେ ମାଁ ଙ୍କ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଆୟୋଜିତ ଆକର୍ଷଣୀୟ ବୁଗି ୱୁଗି ନୃତ୍ୟ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିସହିତ ଶହ ଶହ ଶ୍ରଦ୍ଧାଳୁ ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ।

ସେହିପରି ମହାଷଷ୍ଠୀ ଅବସରରେ ମଣ୍ଡପରେ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ଓଲିଉଡ୍ର ଖ୍ୟାତନାମା କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ପାଢ଼ୀ ଓ ଶ୍ରୀ ଆଶୁତୋଷ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଏବଂ ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇଥିଲା ।
ମହାସପ୍ତମୀ ଓ ମହାଷ୍ଟମୀ ଅବସରରେ ପାରମ୍ପରିକ ପୂଜାବିଧି ଓ ଧାର୍ମିକ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ପୂଜା ପରିସର ଉତ୍ସବମୁଖର ହୋଇଉଠିଥିଲା । ସ୍ଥାନୀୟ ଅଞ୍ଚଳର ଲୋକମାନେ ଓ ଦର୍ଶକମାନେ ଏଥିରେ ଉତ୍ସାହର ସହ ଭାଗ ନେଇଥିଲେ ।
ମହାନବମୀ ଅବସରରେ ସ୍ୱତନ୍ତ୍ର ପୂଜା, ହୋମ ଓ ପୂର୍ଣ୍ଣାହୁତି ଆଦି ରୀତିନୀତି ଅନୁଯାୟୀ ଶ୍ରଦ୍ଧା ଓ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ପରିବେଷଣ ସହ ସମାପ୍ତ ହୋଇଥିଲା । ଯାହା ଉତ୍ସବର ଆନନ୍ଦ ଓ ଉତ୍ସାହକୁ ଆହୁରି ବଢ଼ାଇଥିଲା ।
ବିଜୟା ଦଶମୀ ଅବସରରେ ଭବ୍ୟ ରାବଣ ପୋଡ଼ି ସହ ପାଞ୍ଚଦିନିଆ ଉତ୍ସବର ପରିସମାପ୍ତି ଘଟିଥିଲା । ଏହା ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ପାଳିତ ହୋଇଥିଲା । ରାବଣର ବିଶାଳ ପ୍ରତୀକ ବିଧିବଦ୍ଧ ଭାବେ ଦହନ କରାଯିବା ସମୟରେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ପୂଜା ପଡ଼ିଆ ଉତ୍ସବମୁଖର ହୋଇଉଠିଥିଲା ।
ପାଞ୍ଚଦିନ ବ୍ୟାପୀ ଏହି ଦୁର୍ଗାପୂଜା ଉତ୍ସବରେ ପ୍ରାୟ ୧୫,୦୦୦ ଶ୍ରଦ୍ଧାଳୁ ଓ ଦର୍ଶକ ଯୋଗଦେଇଥିବା ବେଳେ ବିଜୟା ଦଶମୀର ଭବ୍ୟ ସମାପନୀ ଉତ୍ସବରେ ପ୍ରାୟ ୩୦,୦୦୦ ଲୋକ ରାବଣ ପୋଡ଼ି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ ପାଇଁ ଏକତ୍ରିତ ହୋଇଥିଲେ । ଏହି ବିପୁଳ ଜନସମାଗମ ଉତ୍ସବର ଗଭୀର ସାଂସ୍କୃତିକ ମହତ୍ତ୍ୱ ଏବଂ ସ୍ଥାନୀୟ ସମୁଦାୟ ସହ ୟୁଏଆଇଏଲର ଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିଥିଲା ।
ଏହି ଅବସରରେ ଆଦିତ୍ୟ ଆଲୁମିନା ରେଫାଇନେରି ୟୁନିଟ୍ ହେଡ୍ ତଥା ସଭାପତି ଶ୍ରୀ ମଜହରୁଲ୍ଲା ବେଗ୍ ଉପସ୍ଥିତ ରହି ଉତ୍ସବରେ ସାମିଲ ହେବା ସହ ଉପସ୍ଥିତ ଜନସାଧାରଣଙ୍କୁ ପାର୍ବଣର ଶୁଭେଚ୍ଛା ଜଣାଇଥିଲେ । ଏଥିସହ କାଶୀପୁର ତହସିଲଦାର ଶ୍ରୀ ଅନୁପମ ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ ।
ଏହି ଉତ୍ସବର ସଫଳ ଆୟୋଜନରେ ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀ ନାରାୟଣ ମିତ୍ରାଙ୍କ ସମନ୍ୱୟରେ ଶ୍ରୀ କିରଣ ନାୟକ, କର୍ଣ୍ଣେଲ ଦେବୀ ସାହୁ, ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଶ୍ରୀ ବେଲକର ନାଏକ ଏବଂ କମ୍ପାନୀର ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ଏଥିସହିତ ସ୍ଥାନୀୟ ଦୋରାଗୁଡ଼ା ଥାନାଧିକାରୀ ନୀଳକଣ୍ଠ ବେହେରା, ଅଣ୍ଡିରାକଞ୍ଚ ଥାନାଧିକାରୀ ସିଭଜି ପଣ୍ଡା, ଏସଆଇ ଅରୁଣ ପାତ୍ରଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଏହି ଦୁର୍ଗାପୂଜା ଉତ୍ସବ ମାଧ୍ୟମରେ ୟୁଏଆଇଏଲ୍, ସ୍ଥାନୀୟ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ସହ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ସମୁଦାୟ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରକାଶ କରିଛି । ଏହି ସାମୂହିକ ଉତ୍ସବ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହଭାଗିତାରେ, ସାମାଜିକ ଏକତା ପାଇଁ ଏକ ମିଳିତ ମଞ୍ଚ ସୃଷ୍ଟି କରିବା ସହ ସଦ୍ଭାବ, ସାଂସ୍କୃତିକ ଗୌରବ ଓ ସାମାଜିକ ସଂହତିର ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିଛି ।