ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ

ରାୟଗଡ଼, 24/10/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତାରିଖ : ୨୪.୧୦.୨୦୨୬ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ୍ ମୋଡ୍‌ରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବାତ୍ୟାର ତୀବ୍ରତାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Article Image
ପ୍ରତି ଦୁଇ ଘଣ୍ଟାରେ ବର୍ଷାର ସ୍ଥିତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରି ସତର୍କ ସୂଚନା ଓ ଆବଶ୍ୟକୀୟ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି।
Article Image
ଜିଲ୍ଲାର ସମସ୍ତ ବ୍ଲକ୍‌ରେ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ସ୍ଥାପନ କରାଯାଇ ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଗ୍ରାମଗୁଡ଼ିକର ତାଲିକା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ସହ ପୂର୍ବରୁ ହୋଇଥିବା କ୍ଷୟକ୍ଷତି ଓ ଦୁର୍ବଳ ସ୍ଥାନଗୁଡ଼ିକର ମରାମତି କାର୍ଯ୍ୟ ଆଗୁଆ ଶେଷ କରିବାକୁ କୁହାଯାଇଛି। ବାତ୍ୟାର ସ୍ଥିତି ଓ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଆବଶ୍ୟକସ୍ଥଳେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରାଯିବା ନେଇ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଗୁଣପୁରରେ ଗୋଟିଏ ଲେଖାଏଁ ମୋଟ ୩ଟି ପାୱାର ବୋଟ୍ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାର ହାଟସେସ୍କାଲ (ରାୟଗଡ଼), ବିକ୍ରମପୁର (ଗୁଣପୁର) ଓ କୁତ୍ରାଗୁଡା (ବିଷମକଟକ)ଠାରେ ୩ଟି ସ୍ଥାୟୀ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ସହ ୮୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକସ୍ଥଳେ ଓଡ୍ରାଫ୍, ଅଗ୍ନିଶମ ବିଭାଗ ଓ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ରାୟଗଡ଼, ଗୁଣପୁର ଓ ବିଷମକଟକ ଅଞ୍ଚଳରେ ମୁତୟନ କରାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ଏମ୍‌ଆଇ (MI) ଡିଭିଜନ୍‌କୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ସହରାଞ୍ଚଳରେ ଡ୍ରେନ୍‌ଗୁଡ଼ିକୁ ଆଗୁଆ ସଫା କରିବା ସହ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ (EOs) ନିର୍ଦ୍ଦେଶ ଦିଆଯାଇଛି। ନଦୀ ଓ ଜଳାଶୟଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବା ସହ ବିପଦସଙ୍କେତ ନିକଟରେ ଜଳସ୍ତର ପହଞ୍ଚିବା ପୂର୍ବରୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଆବଶ୍ୟକୀୟ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ମା’ ଗୃହକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଜରୁରୀକାଳୀନ ଔଷଧ, ସାପ କାମୁଡ଼ା ପ୍ରତିଷେଧକ ଔଷଧ (ଆଣ୍ଟି-ଭେନମ୍) ମହଜୁଦ ରଖିବା ସହ ହସ୍ପିଟାଲଗୁଡ଼ିକରେ କଣ୍ଟ୍ରୋଲ୍ ରୁମ୍ ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେଲେ ଯେପରି ସ୍ୱାସ୍ଥ୍ୟସେବା ପ୍ରଭାବିତ ନହୁଏ, ସେଥିପାଇଁ ସମସ୍ତ ହସ୍ପିଟାଲରେ ବ୍ୟାକ୍‌ଅପ୍ ଜେନେରେଟର୍‌ର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି। ବାତ୍ୟା ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ତ୍ୱରିତ ପଦକ୍ଷେପ ନେବା ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।ବାତ୍ୟା ସମ୍ପର୍କିତ ଯେକୌଣସି ଜରୁରୀ ସୂଚନା ଓ ସହାୟତା ପାଇଁ ଜନସାଧାରଣ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (District Emergency Operation Center)ର ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିପାରିବେ। ଏଥିପାଇଁ ଯୋଗାଯୋଗ ନମ୍ବର ୦୬୮୫୬-୨୨୪୦୮୨, ୦୬୮୫୬-୨୨୪୦୬୨ ଏବଂ ଟୋଲ୍‌ ଫ୍ରି ନମ୍ବର ୧୦୭୭ ରହିଛି। ଜରୁରୀ ପରିସ୍ଥିତିରେ ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତ କରି ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଅନୁରୋଧ କରିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ କେହି ଆତଙ୍କିତ ନହୋଇ ଧୈର୍ଯ୍ୟ ଓ ସତର୍କତାର ସହ ପରିସ୍ଥିତିର ମୁକାବିଲା କରନ୍ତୁ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାରର ଆଗୁଆ ପ୍ରସ୍ତୁତି କରିଛି। ଏଥିସହ ସରକାରୀ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।
5