ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମୁଦ୍ର ଅଶାନ୍ତ ହେବା ଆଶଙ୍କା, ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ ପରାମର୍ଶ

ପାରାଦ୍ୱୀପ, 24/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଭାରତୀୟ ପାଣିପାଗ ବିଭାଗର ସତର୍କତା ସୂଚନାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ପାରାଦ୍ୱୀପର ଷଣ୍ଢକୁଦ ଓ ନୂଆବଜାର ଅଞ୍ଚଳରେ ଥିବା ବୋଟ୍‌ ମାଲିକ, ଡଙ୍ଗା ମାଲିକ ଏବଂ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା କ୍ରମଶଃ ଘନୀଭୂତ ହୋଇ ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଝଡ଼ ପବନ ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ କିଲୋମିଟରରୁ ବୃଦ୍ଧି ପାଇ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ସତର୍କ କରାଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୮ ଅକ୍ଟୋବର ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବେ କୂଳକୁ ଫେରିଆସିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ମତ୍ସ୍ୟଜୀବୀଙ୍କ ଧନଜୀବନର ସୁରକ୍ଷାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। ତେଣୁ ସମସ୍ତ ବୋଟ୍‌ ଓ ଡଙ୍ଗା ମାଲିକଙ୍କ ସମେତ ମତ୍ସ୍ୟଜୀବୀମାନେ ସରକାରୀ ନିର୍ଦ୍ଦେଶ ଓ ପାଣିପାଗ ବିଭାଗର ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।
5