କୁଜଙ୍ଗ , 25/10/2026, ଉତ୍କଳ voice news - utkalvoicenews.com
ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଗ୍ରାମ ଗଠନ ସହ ପରିବେଶ ସୁରକ୍ଷା ଲକ୍ଷ୍ୟରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର ବାଲିପାରୀ ଗ୍ରାମର ଯୁବକମାନେ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ସପ୍ତାହରେ ଗ୍ରାମର ଯୁବକମାନେ ଏକାଠି ହୋଇ ବିଭିନ୍ନ ସାମାଜିକ ଓ ପରିବେଶ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ।
ଏହି ସଫେଇ ଅଭିଯାନରେ ପାରାଦୀପ ପୌରପାଳିକାର ସ୍ୱଚ୍ଛତା ରାଷ୍ଟ୍ରଦୂତ ଅମ୍ବିକା ପ୍ରସାଦ ମହାପାତ୍ର ଯୋଗଦେଇ ଯୁବକମାନଙ୍କୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରାଇଥିଲେ। ପ୍ରଥମେ ନିଜ ଗ୍ରାମକୁ ସ୍ୱଚ୍ଛ ରଖିବା, ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ଗଛଗୁଡ଼ିକର ଯତ୍ନ ନେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ଯୁବପିଢ଼ି ନିଶାଦ୍ରବ୍ୟଠାରୁ ଦୂରରେ ରହି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅଭିଯାନରେ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କରାଯିବା ସହ ବୃକ୍ଷରୋପଣ ମାଧ୍ୟମରେ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିଲା। ନୂତନ ଭାବେ ଲଗାଯାଇଥିବା ଗଛଗୁଡ଼ିକର ସୁରକ୍ଷା ପାଇଁ ବାଡ଼ ନିର୍ମାଣ କରାଯିବା ସହ ଗ୍ରାମ ପୋଖରୀର ସଫେଇ ଓ ପରିମଳ ବ୍ୟବସ୍ଥାର ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ସ୍ୱଚ୍ଛ ଭାରତ ଗଠନ କେବଳ ସରକାରଙ୍କ ଉଦ୍ୟମରେ ସମ୍ଭବ ନୁହେଁ; ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ। ତେଣୁ ଗ୍ରାମର ଯୁବକମାନେ ପ୍ରତି ମାସରେ ଅନ୍ତତଃ ଥରେ ଏକାଠି ହୋଇ ନିଜ ଗ୍ରାମର ସ୍ୱଚ୍ଛତା, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ସମୟ ଦେବାକୁ ଆହ୍ୱାନ ଦିଆଯାଇଛି।
ଯୁବପିଢ଼ିଙ୍କ ଏଭଳି ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ଓ ସହଯୋଗ ଜାରି ରହିଲେ ବାଲିପାରୀ ଏକ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଗ୍ରାମ ଭାବେ ପରିଚିତ ହୋଇପାରିବ। ଏଥିସହ ନିଶାମୁକ୍ତ ସମାଜ ଗଠନ ଦିଗରେ ମଧ୍ୟ ଏହି ପଦକ୍ଷେପ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ।
“ଆମକୁ ଫରକ ପଡ଼ୁଛି, ପରିବର୍ତ୍ତନ ଆବଶ୍ୟକ” ବାର୍ତ୍ତାକୁ ଆଧାର କରି ସମାଜ ପାଇଁ ନିଜର କର୍ତ୍ତବ୍ୟ ପାଳନ କରିବା ସହ ସ୍ୱଚ୍ଛତାକୁ ଅଭ୍ୟାସ, ବୃକ୍ଷରୋପଣକୁ ଅଭିଯାନ ଏବଂ ନିଶାମୁକ୍ତ ଜୀବନକୁ ସଂକଳ୍ପ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି।