ଏରସମା, 27/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଓଡ଼ିଆ ସାରସ୍ୱତ ଜଗତର ଅନନ୍ୟ ପ୍ରତିଭା, ପ୍ରଖ୍ୟାତ ଲେଖକ, ବିଶିଷ୍ଟ ଗୀତିକାର, ଔପନ୍ୟାସିକ ତଥା ସୁସମ୍ପାଦକ ସ୍ୱର୍ଗତ ଅଜୟ କେତନ ମହାନ୍ତିଙ୍କ ଅକାଳ ତିରୋଧାନ ଖବର ସମଗ୍ର ଓଡ଼ିଆ ସାହିତ୍ୟ ପ୍ରେମୀ ମହଲରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ତାଙ୍କର ଏହି ଅପ୍ରତ୍ୟାଶିତ ଓ ଅସାମୟିକ ବିୟୋଗ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପାଇଁ ଏକ ବଡ଼ ଧକ୍କା ଏବଂ ଏହି ଦାରୁଣ ଆଘାତରେ ସମଗ୍ର ଅନୁଷ୍ଠାନ ଆଜି ସ୍ତବ୍ଧ ଓ ମର୍ମାହତ।
ସ୍ୱର୍ଗତ ମହାନ୍ତି ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଣ୍ଡଳୀର (Executive Board of Directors) ଜଣେ ଅଗ୍ରଣୀ ସଦସ୍ୟ ଭାବରେ ଅନୁଷ୍ଠାନକୁ ନିରନ୍ତର ସମୃଦ୍ଧ କରିଆସୁଥିଲେ। ସେ କେବଳ ସଂଗଠନର ଏକ ମୁଖ୍ୟ ସ୍ତମ୍ଭ ନଥିଲେ, ବରଂ ଥିଲେ ଆମ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶକ, ପ୍ରେରଣାର ଉତ୍ସ ଓ ସ୍ନେହୀ ଅଭିଭାବକ।
ପ୍ରବାସରେ ରହି ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ତାଙ୍କର ସମର୍ପିତ ଭୂମିକା ଚିର ଅବିସ୍ମରଣୀୟ ରହିବ।
ଓଡ଼ିଶାର ଜଣେ ସୁପରିଚିତ କଥାକାର ଓ ସ୍ରଷ୍ଟା ଭାବେ ତାଙ୍କର ଲେଖନୀ ବେଶ୍ ଚଳଚଞ୍ଚଳ ଓ ପ୍ରଭାବଶାଳୀ ଥିଲା। ତାଙ୍କ ରଚିତ ଗୀତ, ଗଳ୍ପ ଓ ଉପନ୍ୟାସ ମାଧ୍ୟମରେ ସେ ପାଠକୀୟ ମନକୁ ନିଜର କରିପାରିଥିଲେ।
ଏଥିସହିତ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା 'ଦିଗବଳୟ'ର ମୁଖ୍ୟ ସମ୍ପାଦକ ଭାବରେ ସେ ସାରସ୍ୱତ ସାଧକମାନଙ୍କୁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରି ନିଜର ସମ୍ପାଦନା ଦକ୍ଷତା ତଥା ଉଚ୍ଚ ମାନର ସାହିତ୍ୟିକ ରୁଚିର ପରିଚୟ ଦେଇଥିଲେ।
ତାଙ୍କର ଅମାୟିକ ବ୍ୟବହାର, ସ୍ପଷ୍ଟବାଦିତା ଏବଂ ସାହିତ୍ୟ ପ୍ରତି ଥିବା ନିଃସ୍ୱାର୍ଥପର ଭଲପାଇବା ସମସ୍ତଙ୍କୁ ମୁଗ୍ଧ କରୁଥିଲା। ତାଙ୍କ ଭଳି ଜଣେ ପ୍ରଜ୍ଞାବାନ ସାରସ୍ୱତ ସାଧକଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ତାହା କେବେହେଲେ ପୂରଣ ହେବା ସମ୍ଭବ ନୁହେଁ।
ଏହି ଦୁଃଖଦ ମୁହୂର୍ତ୍ତରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସମସ୍ତ ସଦସ୍ୟ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛନ୍ତି।
ପରମକାରୁଣିକ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ନିଜ ଶ୍ରୀପଦ୍ମ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ଶୋକାକୁଳ ପରିବାରବର୍ଗ, ବନ୍ଧୁଜନ ଓ ପ୍ରଶଂସକମାନଙ୍କୁ ଏହି ଅସହ୍ୟ ବେଦନା ସହିବାକୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।
ଓଁ ଶାନ୍ତି! ଶାନ୍ତି! ଶାନ୍ତି!
ତାପସ ରାଜ୍ ମହାରଣା
ସଭାପତି
*ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ*