କୁଜଙ୍ଗ , 27/10/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
ତାରିଖ: ୨୬/୧୦/୨୦୨୬ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସ୍ୟୁଜେ)ର ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ହେବା ସହ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାଖା ସଭାପତି ବାବୁଲି ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସଂଘର ସାଂଗଠନିକ ସୁଦୃଢ଼ୀକରଣ ଏବଂ ସାମ୍ବାଦିକତାରେ ନିରପେକ୍ଷତା ଓ ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।
ବୈଠକରେ ଏସ୍ୟୁଜେର ଜଗତସିଂହପୁର ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡ଼ା ଏବଂ ସଂଗଠନ ସମ୍ପାଦକ ଯମେଶ ଚନ୍ଦ୍ର ଗଛାୟତ ଯୋଗଦେଇ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।

ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘର ସଭାପତି ସଞ୍ଜୟ କୁମାର ବେହେରା ଯୋଗଦେଇ ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଓ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଥିଲେ।
ସମ୍ବାଦ ପରିବେଷଣ ସମୟରେ ନିରପେକ୍ଷତା ରକ୍ଷା, ତଥ୍ୟର ସଠିକତା ଯାଞ୍ଚ ଏବଂ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଅନୁସରଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଲକ୍ ସମ୍ପାଦକ ସନ୍ତୋଷ ମଲ୍ଲ, ଉପଦେଷ୍ଟା ହରି ଗୁରୁ ଓ ପ୍ରଳୟ ମହାପାତ୍ରଙ୍କ ସମେତ ଦେବାଶିଷ ପାଣି, ପ୍ରମୋଦ ଦାସ, ରଶ୍ମି ରଞ୍ଜନ ଦାସ, ଓମ୍ ଦାସ, ସୁଜିତ ସେଠୀ, ଚନ୍ଦନ ସାମଲ, ପ୍ରମୋଦ ମଲ୍ଲିକ, ସାରଦା ପରିଜା, ସୁଶାନ୍ତି ସାମଲ ଓ ସୁମିତ୍ରା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।
ନୂତନ କାର୍ଯ୍ୟାଳୟର ଶୁଭାରମ୍ଭକୁ କୁଜଙ୍ଗ ଶାଖାର ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ସହ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ବୃଦ୍ଧି କରିବା ଦିଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା ଓ ଦାୟିତ୍ୱନିଷ୍ଠ ସାମ୍ବାଦିକତାକୁ ଗୁରୁତ୍ୱ ଦେଇ ସଂଘର କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ବୈଠକରେ ଗୁରୁତ୍ୱ ପ୍ରକାଶ ପାଇଥିଲା।