ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଗଣିତ ଶିକ୍ଷାଦାନ, ସମ୍ମାନିତ ହେଲେ ଡଃ କଲାମ ଆଜାଦ

ଯାଜପୁର / ବଡ଼ଚଣା, 29/10/2026, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରାଙ୍କ ରିପୋର୍ଟ) : ତାରିଖ: ୨୯/୧୦/୨୦୨୬ : ଗଣିତ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ଶିକ୍ଷାର ପ୍ରସାର ପାଇଁ ଦୀର୍ଘ ୨୩ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିବା ଡଃ କଲାମ ଆଜାଦଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଗତ ୨୩ ଅକ୍ଟୋବର ୨୦୨୬ରେ ଆଇକୋନିକ୍ ହ୍ୟୁମାନ୍ ରାଇଟ୍ସ ଏଜୁକେସନାଲ୍ ଅର୍ଗାନାଇଜେସନ୍, ଇଣ୍ଡିଆ ପକ୍ଷରୁ ଗଣିତ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।
Article Image
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ଗ୍ରାମର ବାସିନ୍ଦା ଡଃ ଆଜାଦଙ୍କ ପିତା ଅବଦୁଲ ରବ୍ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ହୋଇଥିବାବେଳେ ମାତା ହୁରନ୍ ବିବି ଜଣେ ଗୃହିଣୀ। ପିଲାଦିନରୁ ଶିକ୍ଷା ପ୍ରତି ଆଗ୍ରହ ରଖିଥିବା ଆଜାଦ ଗଣିତରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେସନ୍ (ଏମ୍‌ସିଏ) ଏବଂ ବ୍ୟାଚେଲର ଅଫ୍ ଏଜୁକେସନ୍ (ବି.ଏଡ୍‌) ଶିକ୍ଷା ହାସଲ କରିଛନ୍ତି। ବର୍ତ୍ତମାନ ସେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଭାଟାପାରାସ୍ଥିତ ଦିଲ୍ଲୀ ୱାର୍ଲ୍ଡ ପବ୍ଲିକ୍ ସ୍କୁଲରେ ଗଣିତ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ। ଦୀର୍ଘ ୨୩ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ମଧ୍ୟରେ ସେ ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସରଳ ଉପାୟରେ ଗଣିତ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ଗଣିତ ପ୍ରତି ଛାତ୍ରଛାତ୍ରୀଙ୍କ ଭୟ ଦୂର କରିବା ସହ ଏହି ବିଷୟ ପ୍ରତି ଆଗ୍ରହ ବଢ଼ାଇବା ତାଙ୍କ ଶିକ୍ଷାଦାନର ଏକ ପ୍ରମୁଖ ଲକ୍ଷ୍ୟ। ଏହି ସମ୍ମାନ ଡଃ ଆଜାଦଙ୍କ ଦୀର୍ଘଦିନର ଅଧ୍ୟବସାୟ, ନିଷ୍ଠା ଓ ଶିକ୍ଷା ପ୍ରତି ସମର୍ପଣ ଭାବର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଭାବେ ବିବେଚିତ ହୋଇଛି। ଏହି ଉପଲବ୍ଧିରେ ସେ ନିଜ ପିତାମାତାଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇବା ସହ ତାଙ୍କୁ ମାର୍ଗଦର୍ଶନ ଦେଇଥିବା ଶିକ୍ଷକ, ଗୁରୁଜନ, ସହକର୍ମୀ, ବନ୍ଧୁ ଓ ଶୁଭଚିନ୍ତକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିତାମାତାଙ୍କ ଆଶୀର୍ବାଦ, ତ୍ୟାଗ ଓ ସମର୍ଥନ ତାଙ୍କ ସଫଳତାର ମୂଳ ଆଧାର ବୋଲି ସେ ପ୍ରକାଶ କରିଛନ୍ତି। ଡଃ ଆଜାଦଙ୍କ ମତରେ, ଏହି ସମ୍ମାନ କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ; ବରଂ ଗଣିତ ଶିକ୍ଷାର ଗୁରୁତ୍ୱ ଏବଂ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରୟାସର ଏକ ପ୍ରେରଣାଦାୟକ ସ୍ୱୀକୃତି। ଆଗାମୀ ଦିନରେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ବୃଦ୍ଧି ଏବଂ ଶିକ୍ଷାର ପ୍ରସାର ଦିଗରେ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆଶାବାଦୀ। ଡଃ କଲାମ ଆଜାଦଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର ଏହି ଉପଲବ୍ଧି ବଡ଼ଚଣା ଅଞ୍ଚଳ ପାଇଁ ଗୌରବର ବିଷୟ ହେବା ସହ ଶିକ୍ଷା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।
21