ଢେଙ୍କାନାଳ, 30/10/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ଢେଙ୍କାନାଳସ୍ଥିତ ପିଏମ୍ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁବ ସଂସଦ ‘ନୂତନ ପୀଢ଼ିର ସରକାର’ କାର୍ଯ୍ୟକ୍ରମ ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଡ. ଦେବୀ ପ୍ରସାଦ ମିଶ୍ର ଉଦ୍ଘାଟନ କରିଥିଲେ। ରାଜନୀତି ବିଜ୍ଞାନର ଶିକ୍ଷାବିତ୍ ରୁଦ୍ର ନାରାୟଣ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଉଦ୍ଘାଟନୀ ଅଭିଭାଷଣରେ ଡ. ମିଶ୍ର କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା, ଚିନ୍ତନ ଓ ମନ୍ଥନ ସେମାନଙ୍କ ମଧ୍ୟରେ ସୃଜନଶୀଳତା, ନୂତନ ଚିନ୍ତାଧାରା ଓ ନେତୃତ୍ୱ ନେବାର କ୍ଷମତା ବିକଶିତ କରିଥାଏ। ସେହିପରି ରୁଦ୍ର ନାରାୟଣ ନନ୍ଦ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଦେଶର ସର୍ବାଙ୍ଗୀଣ ବିକାଶରେ ରାଜନୀତି ବିଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଶିକ୍ଷକ, ପର୍ଯ୍ୟବେକ୍ଷକ ଓ ବିଚାରକମାନେ ଯୁବ ସଂସଦର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଭିମୁଖ୍ୟ ଏବଂ ସଂସଦୀୟ କାର୍ଯ୍ୟପ୍ରଣାଳୀର ନୀତିନିୟମ ସମ୍ପର୍କରେ ପ୍ରତିଯୋଗୀମାନଙ୍କୁ ବୁଝାଇଥିଲେ। ଛାତ୍ରଛାତ୍ରୀ ସଂସଦ ନିର୍ବାଚନ ଏବଂ ସରକାରୀ ଚାକିରିରେ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳର ଭୂମିକା ଉପସ୍ଥାପନ କରିଥିଲେ। ସେମାନଙ୍କ ଯୁକ୍ତି, ପ୍ରତିଯୁକ୍ତି ଓ ଉପସ୍ଥାପନା ଏକ ପ୍ରକୃତ ସଂସଦୀୟ ଅଧିବେଶନର ଅନୁଭୂତି ପ୍ରଦାନ କରିଥିଲା।
ପ୍ରତିଯୋଗୀମାନଙ୍କ ପ୍ରଦର୍ଶନକୁ ବିଚାର କରି ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ଅଷ୍ଟମ ଶ୍ରେଣୀର ପ୍ରଯୁକ୍ତି ଧଳ ପ୍ରଥମ, ନବମ ଶ୍ରେଣୀର ଧରିତ୍ରୀ ସାହୁ ଦ୍ୱିତୀୟ, ଅଷ୍ଟମ ଶ୍ରେଣୀର ସାଇ କ୍ରିଷ୍ଣା ସାହୁ ତୃତୀୟ ଏବଂ ନବମ ଶ୍ରେଣୀର ରୌପ୍ୟା ସନ୍ତୋଷିନୀ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ସଫଳ ପ୍ରତିଯୋଗୀମାନଙ୍କୁ ଅତିଥି ଓ ବିଚାରକମାନେ ପ୍ରଶଂସାପତ୍ର ଓ ସ୍ମାରକୀ ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କୁ ପରବର୍ତ୍ତୀ ସ୍ତରରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ, ଦୀପ ପ୍ରଜ୍ଜ୍ୱଳନ ଓ ମଙ୍ଗଳାଚରଣ ଗାନ କରାଯାଇଥିବାବେଳେ ଶେଷରେ ଶାନ୍ତିପାଠ ହୋଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଲୋଚନା ଭୂତିଆ, ଦୁଷ୍ମନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ବର୍ଷାରାଣୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କାର୍ଯ୍ୟକ୍ରମ ସଂଯୋଜକ ଦୁଷ୍ମନ୍ତ କୁମାର ସାହୁ ସ୍ୱାଗତ ଭାଷଣ, ଅତିଥି ପରିଚୟ, ସଭା ସଂଯୋଜନା ଓ ଫଳାଫଳ ଘୋଷଣା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏ ସମ୍ପର୍କରେ ଡ. ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।