ଯାଜପୁର, 04/11/2026, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରାଙ୍କ ରିପୋର୍ଟ) :

ତାରିଖ: ୦୪/୧୧/୨୦୨୬ :
ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦର ବେଆଇନ ଉତ୍ତୋଳନକୁ ନେଇ ଅଭିଯୋଗ ଉଠୁଥିବା ବେଳେ ଏହାକୁ ରୋକିବା ଦିଗରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୈରୀ ଅଞ୍ଚଳରେ ବେଆଇନ ମୋରମ ଖନନ ଅଭିଯୋଗରେ ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଜେସିବି ମେସିନ୍କୁ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବୈରୀ ଥାନା ଅଧୀନସ୍ଥ ବୈରୀ ଫରେଷ୍ଟ ରେଞ୍ଜ ନିକଟସ୍ଥ ସରକାରୀ ଜମିରୁ ବେଆଇନ ଭାବେ ମୋରମ ଖନନ ହେଉଥିବା ଖବର ପାଇ ଖଣି ବିଭାଗର ଜୁନିୟର ଖଣି ଅଧିକାରୀ ବିଶ୍ୱଜ ସ୍ୱାଇଁ ଓ ଦିପ୍ତା ସୁନ୍ଦର ସେଠୀ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ମୋରମ ବୋଝେଇ ଟ୍ରାକ୍ଟର ଓ ଜେସିବି ମେସିନ୍କୁ ଜବତ କରାଯାଇଥିଲା।
ଅନ୍ୟପକ୍ଷରେ, ବାଲିଚନ୍ଦ୍ରପୁର ଅଞ୍ଚଳର ମାଣ୍ଡୁକା ପାହାଡ଼ରେ ମଧ୍ୟ ବେଆଇନ ମୋରମ ଖନନ ହେଉଥିବା ନେଇ ଅଭିଯୋଗ ରହିଛି। ଅଞ୍ଚଳରେ ଲଘୁ ଖଣିଜ ସମ୍ପଦର ସୁରକ୍ଷା ଏବଂ ବେଆଇନ ଉତ୍ତୋଳନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ ଓ ଚଢ଼ାଉକୁ ଆହୁରି ଜୋରଦାର କରିବାକୁ ସାଧାରଣରେ ଦାବି ହୋଇଛି।
ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ସରକାରୀ ରାଜସ୍ୱର ସୁରକ୍ଷା ଦିଗରେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ମହଲରେ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି।