ଜଗତସିଂହପୁର, 06/11/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରିତା ସାହୁଙ୍କ ରିପୋର୍ଟ) :
ତାରିଖ: ୦୫/୧୧/୨୦୨୬ : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ବ୍ଲକସ୍ତରରେ ଦୁର୍ନୀତି ଅଭିଯୋଗ ଉଠାଇ ବିରିଡି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ‘ବ୍ଲକ ଆସିଛୁ, ଜବାବ ମାଗୁଛୁ’ ସ୍ଲୋଗାନ ଦେଇ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ବିରିଡି ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା, ରାସନ କାର୍ଡ ଓ ସୁଭଦ୍ରା ଯୋଜନାରେ ଅନିୟମିତତା ସହ ରାଜନୈତିକ ଭେଦଭାବ ଏବଂ ବିଭିନ୍ନ ପଞ୍ଚାୟତର ମୌଳିକ ସମସ୍ୟା ସମାଧାନ ହେଉନଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା।
ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ପୂର୍ବରୁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା କଂଗ୍ରେସ ନେତୃବୃନ୍ଦ କହିଛନ୍ତି।
ଏହି ସମସ୍ୟା କେବଳ ବିରିଡି ବ୍ଲକରେ ସୀମିତ ନୁହେଁ, ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଏଭଳି ସମସ୍ୟା ରହିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏହାର ସମାଧାନ ନହେଲେ ଜିଲ୍ଲାର ସମସ୍ତ ବ୍ଲକରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ହିମାଂଶୁ ଭୂଷଣ ମଲ୍ଲିକଙ୍କ ସମେତ ଅନ୍ୟ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।