ଯାଜପୁର, 06/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ତା - ୫/୧୧/୨୦୨୬ : ଯାଜପୁର ଜିଲ୍ଲା ଅଧିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ବେହେରାଙ୍କ ନିର୍ଦ୍ଦେଶ ଓ ମାର୍ଗ ଦର୍ଶନ ଅନୁସାରେ ଧର୍ମଶାଳା ଓ ରସୁଲପୁର ଅବକାରୀ ବିଭାଗ ଥାନା ପକ୍ଷରୁ ଗତକାଲି ଅପରାହ୍ନ ଓ ସନ୍ଧ୍ୟାରେ ଧର୍ମଶାଳା ଉପ ନିରୀକ୍ଷକ ଦେବସ୍ମିତା ନାୟକ ଓ ରସୁଲପୁର ଉପ ନିରୀକ୍ଷକ ଶୁଭଶ୍ରୀ ଚକ୍ରଙ୍କ ମିଳିତ ନେତୃତ୍ବରେ ଓ ଉଭୟ କାର୍ଯ୍ୟାଳୟ ସହକର୍ମୀ ମାନଙ୍କ ସହଯୋଗିତାରେ ଧର୍ମଶାଳା ଓ ବଡ଼ଚଣାର ବିଭିନ୍ନ ଅଞ୍ଚଳ ଉପରେ ଚଢ଼ାଉ କରି ୧ ବାଇକ୍, ୨ କିଲୋଗ୍ରାମ ଗଞ୍ଜା,୫୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇ ଜଣେ ଆସାମୀଙ୍କୁ ଅଦାଲତ ଚାଲାଣ କରାଯାଇଛି। ସର୍ବଶେଷ ଖବର ଅନୁସାରେ ଗତକାଲି ଧର୍ମଶାଳା ଅବକାରୀ ଥାନାର ଉପ ନିରୀକ୍ଷକ ଦେବସ୍ମିତା ନାୟକ ଓ ରସୁଲପୁର ଅବକାରୀ ଥାନାର ଉପ ନିରୀକ୍ଷକ ଶୁଭଶ୍ରୀ ଚକ୍ର କୌଣସି ସୂତ୍ରରୁ ଖବର ପାଇ ବଡ଼ଚଣା ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମର ଦୁର୍ଯ୍ୟୋଧନ ଦଳାଇ ବେଣାପୁର ଛକରେ ଚୋରାଗଞ୍ଜା ନେଇ ଯାଉଥିବାର ଖବର ତାଙ୍କର ହସ୍ତଗତ ହୋଇଥିଲା। ଖବର ପାଇଲା କ୍ଷଣି ଟିମ୍ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ଚୋରା ଗଞ୍ଜା ବ୍ୟବସାୟୀଙ୍କୁ ରୋକିବା ସମୟରେ ବ୍ୟବସାୟୀ ଜଣକ ଗଞ୍ଜା ଫିଙ୍ଗି ଦେଇ ଘଟଣା ସ୍ଥଳରୁ ଆଖି ପିଛୁଳାକେ ଚମ୍ପଟ୍ ମାରି ଥିଲେ। ଘଟଣା ସ୍ଥଳରୁ ୨ କେ.ଜି ଗଞ୍ଜା ଜବତ କରିବା ସହ ବିଭାଗୀୟ ଥାନା ପକ୍ଷରୁ ୧୬୬/୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଠିକ୍ ସେହପରି ସୁକିନ୍ଦା ଥାନା ଅନ୍ତର୍ଗତ କଇନାଦୀପ ଗ୍ରାମର ଶିବ ମୁଣ୍ଡା ଜେନାପୁର ଥାନା ଅନ୍ତର୍ଗତ ରଗଡିପୋଷୀ ରାସ୍ତା ଦେଇ ଚୋରା ମଦ ନେଉଥିବା ବେଳେ ଟିମ୍ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ଚାଳକ ସହିତ ବାଇକ୍ କବ୍ଜା କରି ୫୦ ଲିଟର ଦେଶୀ ମଦ ଜବତ କରିବା ସହ ୧୬୭/୨୬ ରେ ଏକ ମାମଲା ପଞ୍ଜିକରଣ କରାଯାଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ବେହେରାଙ୍କ ପ୍ରତିବଦ୍ଧତାପୂର୍ଣ୍ଣ ନିଷ୍ପତିକୁ ଅନୁପାଳନ କରି ଧର୍ମଶାଳା ଓ ରସୁଲପୁର ଅବକାରୀ ବିଭାଗ ଥାନା ପକ୍ଷରୁ ଏଭଳି ଅତର୍କିତ ଚଢ଼ାଉ ଚୋରା ଅବକାରୀ କାର୍ଯ୍ୟରେ ଲିପ୍ତ ଥିବା ଚୋରା ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିବା ସହ ନିଦ ହଜାଇ ଦେଇଛି। ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀଙ୍କ ଏଭଳି ନୀତିନିଷ୍ଠ କାର୍ଯ୍ୟ ପାଇଁ, ନୀତି, ନୈତିକତା, ନିରପେକ୍ଷତା ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀଙ୍କ ପ୍ରତିବଦ୍ଧତା ବୋଲି ଲୋକଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।