ଯାଜପୁର, 06/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରାଙ୍କ ରିପୋର୍ଟ ) :

ତାରିଖ : ୦୬/୧୧/୨୦୨୬ : ଶିକ୍ଷାଦାନ ସହ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖି ଗୌରବ ଅର୍ଜନ କରିଛନ୍ତି ବଡ଼ଚଣା ବ୍ଲକ୍ ଖଇରାସ୍ଥିତ ପିଏମ୍ ଶ୍ରୀ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶୈଳେଶ କୁମାର ମିଶ୍ର। ଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ଜିଲ୍ଲାସ୍ତରୀୟ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬'ରେ ସେ ଶାରୀରିକ ଶିକ୍ଷା ବିଭାଗରେ ପୁରସ୍କୃତ ହୋଇଛନ୍ତି।
ଏହି ସଫଳତା ସହ ସେ କ୍ରମାଗତ ତୃତୀୟ ଥର ପାଇଁ ଏହି ସମ୍ମାନ ହାସଲ କରି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ୨୦୨୩-୨୪, ୨୦୨୪-୨୫ ଏବଂ ୨୦୨୫-୨୬ ଶିକ୍ଷାବର୍ଷରେ ଲଗାତାର ଏହି ପୁରସ୍କାର ପାଇ ସେ ନିଜର କର୍ମନିଷ୍ଠା, ଶିକ୍ଷାଦାନ ପ୍ରତି ଆନ୍ତରିକତା ଓ କ୍ରୀଡ଼ା କ୍ଷେତ୍ରରେ ଅବଦାନର ପରିଚୟ ଦେଇଛନ୍ତି।
ଶ୍ରୀ ମିଶ୍ର ଜଣେ ଦକ୍ଷ ଶିକ୍ଷକ ହେବା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ। ସେ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ଜଡ଼ିତ ରହିଛନ୍ତି। ବିଶେଷକରି କବାଡ଼ି ଖେଳରେ ଜାତୀୟସ୍ତରୀୟ ରେଫରି ଭାବେ ତାଙ୍କର ଅଭିଜ୍ଞତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ, ଶୃଙ୍ଖଳା, ଶାରୀରିକ ସୁସ୍ଥତା ଓ ଦଳଗତ ମନୋଭାବର ବିକାଶ ଦିଗରେ ତାଙ୍କର ଭୂମିକା ଉଲ୍ଲେଖନୀୟ। ଏଥିସହ ସେ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଯାଜପୁର ଜିଲ୍ଲାରେ ଦୁଇଥର 'ପ୍ରକୃତି ବନ୍ଧୁ' ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ଶ୍ରୀ ମିଶ୍ରଙ୍କ ଏହି ତ୍ରିମୁକୁଟ ସଫଳତା ବିଦ୍ୟାଳୟ, ଶିକ୍ଷକ ସମାଜ ଓ ସମଗ୍ର ବଡ଼ଚଣା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ତାଙ୍କର ଏହି ସଫଳତା ଅନ୍ୟ ଶିକ୍ଷକମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇଛି।