ଯାଜପୁର / ବଡ଼ଚଣା, 06/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରାଙ୍କ ରିପୋର୍ଟ ) :
_1793928655.jpg)
ତାରିଖ: ୦୬/୧୧/୨୦୨୬ : ଶିକ୍ଷାଦାନ କ୍ଷେତ୍ରରେ ନିଷ୍ଠା, ଅଧ୍ୟବସାୟ ଓ ଉତ୍ସର୍ଗୀକୃତ ସେବାର ସ୍ୱୀକୃତି ସ୍ୱରୂପ ଲଗାତାର ତୃତୀୟ ଥର ପାଇଁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିଛନ୍ତି ବଡ଼ଚଣା ବ୍ଲକ ଖଇରାସ୍ଥିତ ପିଏମ୍ଶ୍ରୀ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟର ଓଡ଼ିଆ ବିଭାଗ ଶିକ୍ଷୟିତ୍ରୀ ସୁଜେତା ସୁଖଦାୟିନୀ ଆଚାର୍ଯ୍ୟ।
ସେ ୨୦୨୩-୨୪, ୨୦୨୪-୨୫ ଓ ୨୦୨୫-୨୬ ଶିକ୍ଷାବର୍ଷରେ କ୍ରମାଗତ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇ ଶିକ୍ଷା କ୍ଷେତ୍ରରେ ଅନନ୍ୟ ସଫଳତା ହାସଲ କରିଛନ୍ତି। ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ବିକାଶ ପାଇଁ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ।
ତାଙ୍କର ଏହି ସଫଳତା ପଛରେ ପାରିବାରିକ ସଂସ୍କାର, ଗୁରୁଜନଙ୍କ ଆଶୀର୍ବାଦ ଓ ନିରନ୍ତର କର୍ମନିଷ୍ଠା ରହିଛି। ସେ ନୂଆଶାସନ ଗ୍ରାମର ସ୍ୱର୍ଗତ ରମେଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ସୁକନ୍ୟା ଏବଂ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ଝିଆରୀ। ତାଙ୍କ ସ୍ୱାମୀ ଜନ୍ମେଜୟ ପାଢ଼ୀଙ୍କ ସମେତ ଶ୍ୱଶୁର ସତ୍ୟନାରାୟଣ ପାଢ଼ୀ ଓ ଶାଶୁ ଅଞ୍ଜଳି ପାଢ଼ୀଙ୍କ ସହଯୋଗ ଓ ପ୍ରେରଣା ତାଙ୍କ ସଫଳତାରେ ସହାୟକ ହୋଇଛି।
ତାଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ସହକର୍ମୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଶିକ୍ଷାଦାନ ପ୍ରତି ତାଙ୍କର ନିଷ୍ଠା ଓ ସମର୍ପଣ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ। ତାଙ୍କର ଏହି ତ୍ରିବାର ପୁରସ୍କାର ପ୍ରାପ୍ତି କେବଳ ବଡ଼ଚଣା ଅଞ୍ଚଳ ପାଇଁ ନୁହେଁ, ସମଗ୍ର ଯାଜପୁର ଜିଲ୍ଲାର ଶିକ୍ଷା ଜଗତ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।