ଏରସମା, 06/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ତାରିଖ – ୫ ନଭେମ୍ବର ୨୦୨୬ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ସମୁଦ୍ରକୂଳ ନିକଟସ୍ଥ ଝାଉଁ ଜଙ୍ଗଲରୁ ଉଦ୍ଧାର ହେବାକୁ ନେଇ ଅଞ୍ଚଳରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକ ହେଉଛନ୍ତି ଗ୍ରାମର ଭୋଳାନାଥ ସ୍ୱାଇଁଙ୍କ ପୁଅ ବିଶିକେଶନ ସ୍ୱାଇଁ (୨୬)।
ସୂଚନା ଅନୁଯାୟୀ, ବିଶିକେଶନ ଦୁଇଦିନ ଧରି ନିଖୋଜ ଥିଲେ। ଗୁରୁବାର ତାଙ୍କ ମୃତଦେହ ସମୁଦ୍ରକୂଳ ନିକଟସ୍ଥ ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। କମ୍ପାନୀରେ ଗାଡ଼ି ଲଗାଇବାକୁ କେନ୍ଦ୍ର କରି ପୂର୍ବରୁ ମତଭେଦ ହୋଇଥିବାରୁ ଏହି ଘଟଣା ପଛରେ ହତ୍ୟାର ସନ୍ଦେହ ଥିବା ପରିବାର ଲୋକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହକୁ JSW କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ। ପରେ ପ୍ରଶାସନ, ଗ୍ରାମର ମୁରବୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନାରେ ରେଡ୍କ୍ରସ୍ ପକ୍ଷରୁ ୨୦ ହଜାର ଟଙ୍କାର ତତ୍କାଳ ସହାୟତା, ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ ପାଇଁ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି।
ଏହି ପ୍ରତିଶ୍ରୁତି ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ। ଅନ୍ୟପକ୍ଷରେ ଅଭୟଚାନ୍ଦପୁର ଥାନା ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।