ତିର୍ତ୍ତୋଲ, 06/11/2026, ଉତ୍କଳ voice news - utkalvoicenews.com( କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ତାରିଖ – ୦୬/୧୧/୨୦୨୬ : ପବିତ୍ର କାର୍ତ୍ତିକ ମାସ ଅବସରରେ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲରେ ମୁଖରିତ ହେବ ଜଗତସିଂହପୁର ଜିଲ୍ଲାର ଦଶମାଣକୁଳ ଗ୍ରାମସ୍ଥିତ ବିଚାରମଣି ପୀଠ। ପୂଜ୍ୟ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗଦର୍ଶନରେ ଏଠାରେ ଦ୍ୱିତୀୟ ବାର୍ଷିକ ତ୍ରିଦିବସୀୟ ଶ୍ରୀମଦ୍ ଭାଗବତ କଥା ଯଜ୍ଞ ଆସନ୍ତା ନଭେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେବ।
ଏହି ଆଧ୍ୟାତ୍ମିକ ମହୋତ୍ସବରେ ପୂଜ୍ୟ ବାବା ବଳିଆଙ୍କ ଯୋଗଦାନ ଓ ଆଶୀର୍ବାଦ ପାଇବା ଉଦ୍ଦେଶ୍ୟରେ ଦଶମାଣକୁଳ ଗ୍ରାମର ବାବାଜୀ ପବିତ୍ର ମୋହନ ଦାସ, କାଳିଆ ନନା, ଧୀରେନ୍ କୁମାର ଆଚାର୍ଯ୍ୟ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ହିରଣ୍ୟ ଦାଶ, ମିହିର ଦାସ, ନିରଞ୍ଜନ ଦାଶ ଓ ରଞ୍ଜନ ସେଠୀ ପ୍ରମୁଖ ଅରିଲୋସ୍ଥିତ ଆଶ୍ରମରେ ପହଞ୍ଚି ବାବା ବଳିଆଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ବାବାଙ୍କୁ ଭକ୍ତିପୂତ ନିମନ୍ତ୍ରଣ ଜଣାଇବା ସହ ତାଙ୍କର ଶୁଭାଶିଷ କାମନା କରିଥିଲେ।
ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି ତ୍ରିଦିବସୀୟ ଭାଗବତ କଥା ଯଜ୍ଞରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା ରହିଛି। ଭାଗବତ କଥା ଶ୍ରବଣ ମାଧ୍ୟମରେ ଭକ୍ତିଭାବ, ଧର୍ମୀୟ ଚେତନା ଓ ଆଧ୍ୟାତ୍ମିକ ମୂଲ୍ୟବୋଧର ପ୍ରସାର ହେବା ସହ ଅଞ୍ଚଳରେ ଏକ ପବିତ୍ର ଓ ଭକ୍ତିମୟ ପରିବେଶ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ ପାଇଛି।