ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଫେରାର ସରପଞ୍ଚଙ୍କୁ ଭୁବନେଶ୍ୱରରୁ ଧରିଲା କୁଜଙ୍ଗ ପୋଲିସ

କୁଜଙ୍ଗ , 07/11/2026, ଉତ୍କଳ voice news - utkalvoicenews.com( ପାରାଦୀପ,କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ – ୦୬.୧୧.୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଳିଆ ଗ୍ରାମପଞ୍ଚାୟତରେ ପ୍ରାୟ ୪୬ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର୍ ଅଭିଯୋଗ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଦୀର୍ଘଦିନ ଧରି ଫେରାର ଥିବା ବାଳିଆ ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକଙ୍କ ସମେତ ତାଙ୍କ ସହଯୋଗୀ ରଞ୍ଜନ କୁମାର ଓଝାଙ୍କୁ କୁଜଙ୍ଗ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି।
Article Image
ପରେ ଉଭୟଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସୂଚନା ଅନୁଯାୟୀ, ବାଳିଆ ଗ୍ରାମପଞ୍ଚାୟତରେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା। ପଞ୍ଚାୟତର ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ଓ ସରପଞ୍ଚ ସରୋଜିନୀ ନାୟକଙ୍କ ବିରୋଧରେ ପ୍ରାୟ ୪୬ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର୍ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କୁଜଙ୍ଗ ବିଡିଓ ଦୀପକ କୁମାର ସ୍ୱାଇଁ କୁଜଙ୍ଗ ଥାନାରେ ଲିଖିତ ଏତଲା ଦାୟର କରିଥିଲେ। ବିଡିଓଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନାରେ କେସ୍ ନଂ ୧୦୧/୨୦୨୬, ତାରିଖ ୧୦.୦୪.୨୦୨୬ରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ପ୍ରଥମେ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆଙ୍କୁ ଗିରଫ କରିଥିଲା। ତେବେ ସରପଞ୍ଚ ସରୋଜିନୀ ନାୟକ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିଲା। ଶେଷରେ ଗୁରୁବାର ପୋଲିସ ଭୁବନେଶ୍ୱରରେ ଚଢ଼ାଉ କରି ସରପଞ୍ଚ ସରୋଜିନୀ ନାୟକ ଓ ତାଙ୍କ ସହଯୋଗୀ ରଞ୍ଜନ କୁମାର ଓଝାଙ୍କୁ ଗିରଫ କରିଥିଲା। ଗିରଫ ପରେ ଉଭୟଙ୍କୁ ଆଇନ ଅନୁଯାୟୀ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ଓ ସାଧାରଣ ଲୋକଙ୍କ ମୌଳିକ ସୁବିଧା ପାଇଁ ଉଦ୍ଦିଷ୍ଟ ସରକାରୀ ପାଣ୍ଠିକୁ ନେଇ ଏଭଳି ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ପୂର୍ବରୁ ନିର୍ବାହୀ ଅଧିକାରୀଙ୍କ ଗିରଫ ଏବଂ ବର୍ତ୍ତମାନ ସରପଞ୍ଚଙ୍କ ସମେତ ଅନ୍ୟ ଜଣଙ୍କ ଗିରଫଦାରୀ ଘଟଣାକୁ ନୂଆ ମୋଡ଼ ଦେଇଛି। ତେବେ ପଞ୍ଚାୟତ ପାଣ୍ଠି ସମ୍ପର୍କିତ ଆର୍ଥିକ କାରବାରର ସମ୍ପୂର୍ଣ୍ଣ ଚିତ୍ର ପୋଲିସର ପରବର୍ତ୍ତୀ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
14