ପାରାଦୀପ, 09/11/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ତାରିଖ – ୦୮/୧୧/୨୦୨୬ : ପାରାଦ୍ୱୀପର ପି.ପି.ଏଲ୍ ଛକରେ ଏକ ଟ୍ରେଲର ଟ୍ରକ୍ ସହ ବାଇକ୍ର ଧକ୍କା ହେବା ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ପାରାଦ୍ୱୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ଚିକିତ୍ସା ବ୍ୟବସ୍ଥା ଓ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମୃତ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଗ୍ରାମର ଭ୍ରମରବର ପ୍ରଧାନଙ୍କ ପୁତ୍ର ବିକ୍ରମ ପ୍ରଧାନ।
ସୂଚନା ଅନୁଯାୟୀ, ପି.ପି.ଏଲ୍ ଛକ ନିକଟରେ ଏକ ଟ୍ରେଲର ଟ୍ରକ୍ ସହ ବିକ୍ରମଙ୍କ ବାଇକ୍ର ଧକ୍କା ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଅଠରବାଙ୍କିସ୍ଥିତ ବିଜୁ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଗୁରୁତର ରୋଗୀଙ୍କୁ ତୁରନ୍ତ ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ ନେବା ପାଇଁ ଆବଶ୍ୟକ ଆମ୍ବୁଲାନ୍ସ ସେବା ସମୟୋଚିତ ଭାବେ ଉପଲବ୍ଧ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ କଟକ ଯିବା ବାଟରେ ତାଙ୍କୁ କେଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ଚିକିତ୍ସା ସୁବିଧା ଓ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ସ୍ଥାନୀୟ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିଲେ। ସେ ଲୋକମାନଙ୍କୁ ବୁଝାଶୁଝା କରିବା ସହ ଆବଶ୍ୟକ ଆଶ୍ୱାସନା ଦେବା ପରେ ରାସ୍ତାରୋକ ହଟିଥିଲା। ପରେ ପୋଲିସ ମୃତଦେହର ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲା। ଏହି ଘଟଣା ପୁଣିଥରେ ପାରାଦ୍ୱୀପ ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ସେବା, ଉନ୍ନତ ଚିକିତ୍ସା ସୁବିଧା ଏବଂ ତୁରନ୍ତ ରୋଗୀ ସ୍ଥାନାନ୍ତର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି। ଏକ ଅମୂଲ୍ୟ ଜୀବନ ହରାଇବା ପରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ଜରୁରୀ ସମୟରେ ରୋଗୀଙ୍କୁ ସଠିକ୍ ସମୟରେ ଚିକିତ୍ସା ଓ ପରିବହନ ସୁବିଧା ଯୋଗାଇଦେବା ଦିଗରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।

