ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଠାକୁରପାଟଣାରେ ରାମଲୀଳା ଓ ରାବଣପୋଡ଼ି ଉତ୍ସବ

ଜଗତସିଂହପୁର, 09/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ, ଧର୍ମର ଜୟ ଓ ଅଧର୍ମର ପରାଜୟର ବାର୍ତ୍ତା ନେଇ ଠାକୁରପାଟଣାଠାରେ ଉତ୍ସାହୀ ଗ୍ରାମୀଣ କଳାକାରମାନଙ୍କୁ ନେଇ ରାମଲୀଳା ଓ ରାବଣପୋଡ଼ି ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଲୁକ୍କାୟିତ ଥିବା କଳା ଓ ସାଂସ୍କୃତିକ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ନୂତନ ପିଢ଼ି ମଧ୍ୟରେ ଆମ ପରମ୍ପରା ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଶିଷ୍ଟ ଶିକ୍ଷାବିତ୍ ତଥା ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନପ୍ରାପ୍ତ ସୁଭାଷ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉତ୍ସବର ମୁଖ୍ୟ ଆୟୋଜକ ତଥା ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗାଁର କଳାକାରମାନଙ୍କ ମଧ୍ୟରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି। ସେହି ପ୍ରତିଭାକୁ ଉପଯୁକ୍ତ ମଞ୍ଚ ଦେଇ ଲୋକଲୋଚନକୁ ଆଣିବା ଦିଗରେ ଏହି ଉତ୍ସବ ଏକ ଭବ୍ୟ ପ୍ରୟାସ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମେଡିକାଲର ଏଡିଏମ୍‌ଓ ଡାକ୍ତର ସରୋଜ କୁମାର ଜେନା ଯୋଗଦେଇ ଜଗତସିଂହପୁର ମାଟିର କଳା ଓ ସାଂସ୍କୃତିକ ଐତିହ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଜଗତସିଂହପୁର ହେଉଛି କଳା ଓ ସଂସ୍କୃତିର ମାଟି। ମା’ ଶାରଳାଙ୍କ ଆଶୀର୍ବାଦରେ ଏ ମାଟିର କଳାକାରମାନେ ସବୁବେଳେ ନିଜ ପ୍ରତିଭା ବଳରେ ଉଚ୍ଚ ଶିଖରକୁ ଉଠିବାର ସାମର୍ଥ୍ୟ ରଖିଛନ୍ତି। ସମ୍ମାନିତ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦ ସ୍ମାରକ ଜୁନିଅର କଲେଜର ଅଧ୍ୟକ୍ଷ ସତ୍ୟଜିତ ସାହୁ ଏବଂ ଶୁଦ୍ଧାନନ୍ଦ ବିଦ୍ୟାଳୟର ପ୍ରିନ୍ସିପାଲ ବିଶ୍ୱଜିତ ସ୍ୱାଇଁ ଯୋଗଦେଇ ରାମଲୀଳାର ସାଂସ୍କୃତିକ ଓ ନୈତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିସହ ଅଭିନୟରେ ଭାଗ ନେଇଥିବା କଳାକାରମାନଙ୍କୁ ପୁରସ୍କୃତ କରି ସେମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ଏହି ଅବସରରେ ରାମଲୀଳାରେ ଅଭିନୟ କରି ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥିବା ଆସ୍ତିକ, ଆର୍ଯ୍ୟନ, ସିପୁନ, ଶୁଭ, ପୂର୍ବୀ, ଦୀକ୍ଷା, ସାଇ, ସତ୍ୟା, ଅପୁଲ୍ଲା, ସ୍ୱୟଂ, ଭୁବା, ଡମ୍ବରୁ ଓ ଶୁଭମଙ୍କ ଅଭିନୟ ଦର୍ଶକମାନଙ୍କ ମନ ମୋହିଥିଲା। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଅରୁ, ରାଜନ, ଲିପୁନା, ଧନିଆ, ସିପୁ, ଚିକୁ, କାଳିଆ, ବୁନୁ, ପିକୁଳା, ବାସୁ ଓ ପାପିନା ସହଯୋଗ କରିଥିଲେ। ରାବଣପୋଡ଼ି ଉତ୍ସବ ମାଧ୍ୟମରେ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ପ୍ରଚାର କରାଯାଇଥିଲା। ତେବେ ଏହି ଉତ୍ସବ କେବଳ ବାହାରେ ରାବଣ ଦହନରେ ସୀମିତ ନ ରହି ମଣିଷ ନିଜ ମନ ଭିତରେ ଥିବା ଅହଂକାର, ଈର୍ଷା, କ୍ରୋଧ, ଲୋଭ ଓ ଘୃଣା ଭଳି ଅସତ୍ ପ୍ରବୃତ୍ତିକୁ ଦହନ କରିବାର ଆହ୍ୱାନ ଦେଇଥିଲା। ପ୍ରକୃତ ବିଜୟ ସେତେବେଳେ ହେବ, ଯେତେବେଳେ ମଣିଷ ଭିତରେ ମଣିଷପଣିଆର ବିଜୟ ହେବ—ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ସହ ଉତ୍ସବର ପରିସମାପ୍ତି ଘଟିଥିଲା।
14