ପାରାଦୀପ, 09/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :

ତାରିଖ : ୦୯/୧୧/୨୦୨୬ : ଜୀବନର ଦୀର୍ଘ ସଂଘର୍ଷ ପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ କୁଳମଣି। ତାଙ୍କ ମୃତ୍ୟୁରେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼। ଅନ୍ୟପକ୍ଷରେ ପରିବାରର ଭବିଷ୍ୟତ ସୁରକ୍ଷା ଓ ନ୍ୟାୟ ଦାବିରେ ମୃତଦେହକୁ ଆଇଓସିଏଲ୍ ରାସ୍ତାରେ ରଖି ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର କଙ୍କରଦିଆ ଗ୍ରାମର କୁଳମଣି ପାତ୍ର (୪୫) ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପାରାଦୀପ ତୈଳ ବିଶୋଧନାଗାର ପରିସରରେ କଳିଙ୍ଗ ଟ୍ରାଭେଲ୍ସ ଅଧୀନରେ ବୋଲେରୋ ଚାଳକ ଭାବେ କାର୍ଯ୍ୟ କରୁଥିଲେ।
କିଛିଦିନ ତଳେ ତାଙ୍କ ଶରୀର ଅସୁସ୍ଥ ହେବାରୁ ଡାକ୍ତରଖାନାରେ ଚିକିତ୍ସା ଓ ବିଭିନ୍ନ ପରୀକ୍ଷା ପରେ ସେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟରେ କିଛିଟା ସୁଧାର ଆସିବାରୁ ସେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ। ମାତ୍ର ଗତକାଲି ତାଙ୍କର ଶାରୀରିକ ଯନ୍ତ୍ରଣା ବୃଦ୍ଧି ପାଇବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ସୋମବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୁଳମଣିଙ୍କ ମୃତ୍ୟୁ ପରେ ପରିବାରର ଆର୍ଥିକ ସ୍ଥିତି ଓ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ପରିବାର ସଦସ୍ୟ ଓ ଗ୍ରାମବାସୀ ମୃତଦେହକୁ ଆଇଓସିଏଲ୍ ରାସ୍ତାରେ ରଖି ଅବରୋଧ କରିଥିଲେ। ମୃତକଙ୍କ ପତ୍ନୀଙ୍କୁ ନିଯୁକ୍ତି ପ୍ରଦାନ ସହିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମର ମୁରବିମାନଙ୍କ ମଧ୍ୟରେ ଅଭୟଚାନ୍ଦପୁର ଥାନାରେ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି। ଆଲୋଚନାରେ କି ପ୍ରକାର ସମାଧାନ ବାହାରୁଛି ଏବଂ ପରିବାରର ଦାବି ପୂରଣ ହେଉଛି କି ନାହିଁ, ତାହାକୁ ନେଇ ଅଞ୍ଚଳବାସୀଙ୍କ ନଜର ରହିଛି।