ବୁଗୁଡ଼ା, 10/11/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜାରି ରହିଛି ସ୍ୱତନ୍ତ୍ର ଅଭିଯାନ। ଏହି କ୍ରମରେ ବୁଗୁଡ଼ା ବ୍ଲକ ସମସ୍ତ ପଞ୍ଚାୟତରେ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ବିଭିନ୍ନ ବର୍ଗର କର୍ମୀଚାରି, ଗ୍ରାମବାସୀ ଓ ସ୍ବେଛାସେବୀ ସାମିଲ ହୋଇ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗେଇ ଆସିଛନ୍ତି।
ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ। ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଗଠନ ପାଇଁ ଚାଲିଛି ସାମୂହିକ ପ୍ରୟାସ। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ସହ ପରିବେଶ ସୁରକ୍ଷା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତରେ ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ହୋଇଥିଲା ସ୍ୱଚ୍ଛତା ଅଭିଯାନ।
ଏହି କାର୍ଯ୍ୟକ୍ରମରେ ବ୍ଲକ ଓ ପଞ୍ଚାୟତ କର୍ମଚାରୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏମ୍ବିକେ, ସିଆର୍ପି ଏବଂ ଗ୍ରାମବାସୀ ସାମୂହିକ ଭାବେ ଶ୍ରମଦାନ କରିଥିଲେ।ପଞ୍ଚାୟତର ମୁଖ୍ୟ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ସମସ୍ତେ ନେଇଥିଲେ ସଂକଳ୍ପ।କେବଳ ସଫେଇ ନୁହେଁ, ରାସ୍ତାକଡ଼ ଦୋକାନୀମାନଙ୍କୁ ମଧ୍ୟ ସ୍ୱଚ୍ଛତାର ବାର୍ତ୍ତା ଦିଆଯାଇଥିଲା। ଦୋକାନ ସମ୍ମୁଖରେ ଡଷ୍ଟବିନ୍ ରଖି ଅଳିଆ ଏଣେତେଣେ ନ ପକାଇବା ଏବଂ ପ୍ଲାଷ୍ଟିକ ବଦଳରେ କପଡ଼ା ଓ ପାଟ ବ୍ୟାଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।