ଢେଙ୍କାନାଳ, 10/11/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ନଭେମ୍ବର ୫: : ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନାଗରିକ ଦାୟିତ୍ୱ ଓ ମତଦାନ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ MY Bharat ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ MY Bharat Youth Icon ଅଭିଷେକ ପଣ୍ଡା ଯୋଗଦେଇ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସହ 'Your Vote, Your Voice' ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଭୋଟଦାନ କେବଳ ନାଗରିକଙ୍କ ଅଧିକାର ନୁହେଁ, ଏହା ଗଣତନ୍ତ୍ର ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR), ଭୋଟର ପଞ୍ଜୀକରଣ ଓ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା, ସାମାଜିକ ଗଣମାଧ୍ୟମ ପ୍ରତିନିଧି ସୌମ୍ୟବ୍ରତ ସାହୁ ଏବଂ MY Bharatର ବିପ୍ରବର ବେହେରା ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ନେତୃତ୍ୱ, ସାମାଜିକ ଦାୟିତ୍ୱବୋଧ ଓ ଦେଶ ଗଠନରେ ସକ୍ରିୟ ଭାଗୀଦାରିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଯୁବସମାଜ ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ସହ ଦେଶର ବିକାଶରେ ସକ୍ରିୟ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ଅଭିଷେକ ପଣ୍ଡା ମତ ରଖିଥିଲେ।
କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସ୍ମୃତିରଞ୍ଜନ ସାହୁ, ସୌମ୍ୟାଶ୍ରୀ ମିଶ୍ର, ଜ୍ଞାନରଞ୍ଜନ ନାଠୀ ଓ ରୁନିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ସଚେତନତା, ନେତୃତ୍ୱ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବା ଦିଗରେ ଏହି ଯୁବ ସମ୍ବାଦ କାର୍ଯ୍ୟକ୍ରମ ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।