ପାରାଦୀପ, 11/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ପାରାଦୀପର ଐତିହାସିକ ପରିଚୟ ଓ ବିକାଶଧାରା ସହ ଜଡ଼ିତ ମହାନ ବ୍ୟକ୍ତିତ୍ୱଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ନିମନ୍ତେ ଦାବି ଉଠାଇଛି କଳିଙ୍ଗ ମହିଳା ଶକ୍ତି। ଏହି ଅନୁଷ୍ଠାନ ପକ୍ଷରୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଆଗାମୀ କଳିଙ୍ଗ ବାଲିଯାତ୍ରାର ପ୍ରଚାର ପୋଷ୍ଟରରେ ପାରାଦୀପ ବନ୍ଦରର ଶିଳାନ୍ୟାସ କରିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଓଡ଼ିଶାର ବରପୁତ୍ର, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ସ୍ଥାନିତ କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ପାରାଦୀପ ବନ୍ଦରର ପ୍ରତିଷ୍ଠା ଓ ବିକାଶ ସହ ଜଡ଼ିତ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ବାଲିଯାତ୍ରା ଭଳି ଏକ ଗୌରବମୟ ଉତ୍ସବରେ ସ୍ଥାନ ଦେବା ଦ୍ୱାରା ନୂତନ ପିଢ଼ି ପାରାଦୀପର ଐତିହାସିକ ଅବଦାନ ସମ୍ପର୍କରେ ଅଧିକ ଅବଗତ ହୋଇପାରିବେ ବୋଲି ସଂଗଠନ ପକ୍ଷରୁ ମତ ପ୍ରକାଶ ପାଇଛି।

ଏହି ଦାବି ଉପରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ବାଲିଯାତ୍ରାର ମୁଖ୍ୟ ଆୟୋଜକଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିନିଧିମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହି ଅବସରରେ କଳିଙ୍ଗ ମହିଳା ଶକ୍ତିର ସଭାନେତ୍ରୀ ମନୋରମା ଖଟୁଆ, ସଂଗଠନର ଉପଦେଷ୍ଟା ରବୀନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ମହିଳା ନେତ୍ରୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।