ତିର୍ତ୍ତୋଲ, 11/11/2026, ଉତ୍କଳ voice news - utkalvoicenews.com( କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ତା. ୧୦/୧୧ : ଆଧ୍ୟାତ୍ମିକ ଚେତନା, ଧାର୍ମିକ ଭାବନା ଓ ସାମାଜିକ ସେବାର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଦଶମାଣକୂଳ ଗ୍ରାମସ୍ଥିତ ମା' ବିଚାରମଣି ପୀଠ ତଥା ଗୁରୁ ଗୋପାଳ ଆଶ୍ରମ ପରିସରରେ ତ୍ରିଦିବସୀୟ ଭାଗବତ କଥାଯଜ୍ଞ ଓ ଆଲୋଚନା ଚକ୍ର ଆରମ୍ଭ ହୋଇଛି। ପୂଜ୍ୟ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗଦର୍ଶନ ଏବଂ ଆଶ୍ରମର ଅଧିକାରୀ ପବିତ୍ର ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆଧ୍ୟାତ୍ମିକ ଆୟୋଜନ ଅନୁଷ୍ଠିତ ହେଉଛି।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ଧାର୍ମିକ ଆୟୋଜନ ସହ ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱବୋଧର ଏକ ନିଆରା ବାର୍ତ୍ତା ପ୍ରଦାନ କରାଯାଇଥିଲା। ବାବା ବଳିଆଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଧନୁଆ ନଦୀ ପରିସରରେ ସାମୂହିକ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ନଦୀ ଓ ପରିବେଶର ସ୍ୱଚ୍ଛତା ରକ୍ଷା ପାଇଁ ଏହି ପଦକ୍ଷେପ ଆଧ୍ୟାତ୍ମିକତା ସହ ସାମାଜିକ ସେବାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା।
ଏହି ତିନିଦିନିଆ ଆଧ୍ୟାତ୍ମିକ ମହୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ, ଧର୍ମପ୍ରେମୀ ଓ ଶ୍ରଦ୍ଧାଳୁମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବ ଅବସରରେ ପ୍ରତ୍ୟେକ ଦିନ ନାମଯଜ୍ଞ, ଭାଗବତ କଥାଯଜ୍ଞ, ଅନ୍ନଯଜ୍ଞ ଓ ବୃକ୍ଷରୋପଣ ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆଶ୍ରମ ଓ ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି।
ଏହି ଅବସରରେ ବାବାଙ୍କ ଶିଷ୍ୟ ତଥା ଆଶ୍ରମର ଟ୍ରଷ୍ଟି ଶ୍ରୀବାସ ଦାସ, ପ୍ରମୋଦ ଦାସ, ସଞ୍ଜୟ ଦାସ, ବାବାଜୀ ଅରୂପାନନ୍ଦ ଦାସ, ସେବକ ଗୋପାଳ ଦାସ, କାଳିଆ ନନା, ଡକ୍ଟର ଅରୁଣ କୁମାର ପାଣି, ମାନସ ମହାପାତ୍ର, ମାନସ ରାଉତ, ରାମାୟଣୀ ପଣ୍ଡିତ ଅଭୟ ଦାଶ, ପଣ୍ଡିତ ପ୍ରତାପ ଚନ୍ଦ୍ର ମହାପାତ୍ର ଓ ଅଦ୍ୱୈତ ସାହୁଙ୍କ ସମେତ ବହୁ ଅନୁଗାମୀ ଉପସ୍ଥିତ ଥିଲେ। ଏଥିସହ ଦଶମାଣକୂଳ ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଏହି ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।
ଆଧ୍ୟାତ୍ମିକ ଚେତନା ସହ ପରିବେଶ ସୁରକ୍ଷା, ସାମାଜିକ ସେବା ଓ ମାନବ କଲ୍ୟାଣର ବାର୍ତ୍ତା ପ୍ରସାର କରୁଥିବା ଏହି ମହୋତ୍ସବ ଅଞ୍ଚଳରେ ଏକ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି କରିଛି।